ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଇଲେ ତାହା ହୃଦ୍ଘାତ ଆଶଙ୍କା କମାଇ ଦେଇଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଡେନ୍ମାର୍କର ହୃଦ୍ରୋଗ ବିଶେଷଜ୍ଞମାନେ ଗବେଷଣା କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କଠାରେ ହୃଦ୍ଜନିତ ରୋଗର ଲକ୍ଷଣ କମ୍ ଦେଖିବାକୁ ମିଳିଥିଲା। ଭିଟାମିନ୍ ‘ସି’ ହେଉଛି ଏକ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ। ଏହା ସୁସ୍ଥ କୋଷକୁ ସୁରକ୍ଷିତ ରଖିଥାଏ। କେବଳ ସେତିକି ନୁହେଁ, ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ତେଣୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ସାମିଲ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଆମ୍ବ, ଅମୃତଭଣ୍ଡା, ସପୁରି, ଷ୍ଟ୍ରବେରି, ତରଭୂଜ, ପୋଇ, କୋବି, ଆଳୁ ଆଦିରେ ଭିଟାମିନ୍ ‘ସି’ ଭରି ରହିଛି।