ହୃଦୟ ଜିତିଲେ କେଜରିଓ୍ବାଲଙ୍କ ଫ୍ୟାନ୍‌ କୁନି ‘ମଫଲରମ୍ୟାନ’

ନୂଆଦିଲ୍ଲୀ,୧୧।୨: ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ପଥେ ଅଗ୍ରସର ହେଉଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ଝଡ ବେଗରେ ଭାଇରାଲ ହେଉଛି କୁନି ‘ମଫଲରମ୍ୟାନ’ଙ୍କ ଫଟୋ। ଏଏପି ତା’ର ଟୁଇଟରେ ଏହି କୁନି ‘ମଫଲରମ୍ୟାନ’ଙ୍କ ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି। ଏବେ ଯଦିଓ କେଜରିଓ୍ବାଲଙ୍କ ପୁରୁଣା ମଫଲର ପିନ୍ଧା ଚେହେରା ଦେଖିବାକୁ ମିଳୁନାହିଁ। କିନ୍ତୁ ତାଙ୍କର ସେହି ପୁରୁଣା ଗେଟ୍‌ଅପ୍‌ରେ ଆସିଥିବା କୁନି ପିଲାଟିର ଫଟୋ ଏବେ ଭାଇରାଲ ହୋଇଛି। ମଙ୍ଗଳବାର ଭୋଟ ଗଣତି ପୂର୍ବରୁ ଏହି ଶିଶୁଟି କେଜରିଓ୍ବାଲଙ୍କ ଭଳି ଶୀତ ପୋଷାକ ଓ ଦଳୀୟ ଟୋପି ସହ ମଫଲର ପିନ୍ଧି ଏଏପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଖୁସି ବି ହୋଇଥିଲେ। ଏହାପରେ ପିଲାଟିର ଫଟୋ ଏଏପି ତା’ର ଟୁଇଟରରେ ଅପଲୋଡ କରିଥିଲା। ଆଉ ମାତ୍ର ୪ ଘଣ୍ଟା ମଧ୍ୟରେ ଏହି ଫଟୋକୁ ପ୍ରାୟ ୧୫ ହଜାର ୨ ଶହ ଲାଇକ୍‌ ମିଳିଥିବା ବେଳେ ୨ହଜାର ଶହେ ଥର ଶେୟାର କରାଯିବା ସହ ୪୪୮ କମେଣ୍ଟ ଆସିଛି। କେହି କେହି ୟୁଜର୍ସ ପିଲାଟିକୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ କମେଣ୍ଟ ବକ୍ସରେ ଲେଖିଛନ୍ତି।

Share