ହୃଷୀକେଶ ମଲ୍ଲିକଙ୍କୁ ଡି.ଲିଟ୍‌

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ଡି.ଲିଟ୍‌ ଉପାଧି ପାଇବାକୁ ଡ. ହୃଷୀକେଶ ମଲ୍ଲିକ ଯୋଗ୍ୟ ବିବେଚିତ ହୋଇଛନ୍ତି। ତୁଳନାତ୍ମକ ଭାରତୀୟ ସାହିତ୍ୟରେ ଉଚ୍ଚତର ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟର ଏହି ସର୍ବୋଚ୍ଚ ଡିଗ୍ରୀ ଡ. ମଲ୍ଲିକଙ୍କୁ ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବଙ୍ଗଳା ଭାଷାର କିମ୍ବଦନ୍ତୀପ୍ରତିମ କବି ଶକ୍ତି ଚଟ୍ଟୋପାଧ୍ୟାୟ ଓ ଜ୍ଞାନପୀଠ ବିଜେତା ଓଡ଼ିଆ କବି ଡ. ସୀତାକାନ୍ତ ମହାପାତ୍ରଙ୍କ କବିତାର ତୁଳନାତ୍ମକ ଅଧ୍ୟୟନ ସମ୍ବନ୍ଧିତ ଡ. ମଲ୍ଲିକଙ୍କ ଗବେଷଣା ସନ୍ଦର୍ଭ ଉତ୍କଳ, ବ୍ରହ୍ମପୁର ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ପ୍ରକାଶଥାଉ କି, ତୁଳନାତ୍ମକ ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଗବେଷଣା ପାଇଁ ଡ. ମଲ୍ଲିକଙ୍କୁ ୨୦୦୭ରେ ‘ବିଶ୍ୱଭାରତୀ’ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ଡ. ମଲ୍ଲିକ ହେଉଛନ୍ତି ଓଡ଼ିଆ ସାହିତ୍ୟରେ ଏଇ ସମୟର ଚର୍ଚ୍ଚିତ କବି ଓ ଉଚ୍ଚମାନର ସମାଲୋଚକ। କବିତା ପାଇଁ ଡ. ମଲ୍ଲିକ ୧୯୮୮ରେ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ପୁରସ୍କାର ଓ ୨୦୧୬ରେ ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ରେ ସମ୍ମାନିତ ହୋଇଥିଲେ।

Share