Categories: ଖେଳ

ହେବନାହିଁ ଅଲଷ୍ଟାର ମ୍ୟାଚ୍‌

ମୁମ୍ବାଇ,୨୦।୨- ଆଗାମୀ ଆଇପିଏଲ ପୂର୍ବରୁ ଅଲଷ୍ଟାର ମ୍ୟାଚ୍‌ ଖେଳାଯାଇପାରିବ ନାହିଁ। ଏହି ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଘୋଷଣା ହୋଇନାହିଁ। କିନ୍ତୁ ଫ୍ରାଞ୍ଚାଇଜମାନେ ଜଣାଇ ଦେଇଛନ୍ତି ମ୍ୟାଚ୍‌ ଅନୁଷ୍ଠିତ ହୋଇପାରିବ ନାହିଁ। ଅତିକମ୍‌ରେ ୨୯ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ ପୂର୍ବରୁ ନୁହେଁ। କାରଣ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ମାର୍ଚ୍ଚ ୨୫ ଓ ୨୬ ତାରିଖରେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ମୋଟେରା ଷ୍ଟାଡିୟମରେ ଖେଳାଯିବାର ଅଛି। ଏଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଲଷ୍ଟାର ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଅଲଷ୍ଟାର ମ୍ୟାଚ୍‌ ସମ୍ପର୍କରେ ନିଷ୍ପତ୍ତି ନେଲାବେଳେ ଫ୍ରାଞ୍ଚାଇଜଙ୍କ ସହ ପରାମର୍ଶ କରାଯାଇ ନ ଥିଲା। ଫ୍ରାଞ୍ଚାଇଜମାନେ ଖେଳାଳି ଛାଡ଼ିବାକୁ ନାରାଜ। ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଖେଳାଳି ଆହତହେବାର ସମ୍ଭାବନା ରହିଛି, ଏହା ହେଉଛି ପ୍ରଥମ କାରଣ। ଦ୍ୱିତୀୟତଃ ଫ୍ରାଞ୍ଚାଇଜମାନେ ସିଜନ ପୂର୍ବରୁ ଖେଳାଳିଙ୍କୁ ପ୍ରମୋଟ କାର୍ଯ୍ୟରେ ନିଯୁକ୍ତ କରିବେ। ଏହାବଦ୍‌ ଖେଳାଳିଙ୍କ ପାଇଁ କିଏ ଅର୍ଥ ଦେବ, ସେ ନେଇ ମଧ୍ୟ ପ୍ରଶ୍ନ ରହିଛି। ଭାରତୀୟ ଖେଳାଳିମାନେ ରାଜି ହୋଇପାରନ୍ତି, କିନ୍ତୁ ବିଦେଶୀ ଖେଳାଳି ଟଙ୍କା ଉପରେ ହିଁ ଜୋର ଦେବେ। ଖେଳାଳିଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବା ବିଶ୍ୱର ସବୁଠୁ ଶକ୍ତିଶାଳୀ କ୍ରିକେଟ ବୋର୍ଡ ବିସିସିଆଇ ଲାଗି ବଡ଼ କଥା ନୁହେଁ। କିନ୍ତୁ କିଛି ସ୍ପଷ୍ଟ କରାଯାଇ ନାହିଁ। ବିସିସିଆଇ କିମ୍ବା ଆଇପିଏଲ ଅଲଷ୍ଟାର ମ୍ୟାଚ୍‌ ବିଷୟରେ ମତ ଦେଇନାହାନ୍ତି। ହେଲେ ଫ୍ରାଞ୍ଚାଇଜ ସୂତ୍ରରୁ ବାତିଲ କରାଯିବା ନେଇ ସ୍ପଷ୍ଟ କରିଛନ୍ତି। ବିସିସିଆଇ ନିକଟରେ ଆଇପିଏଲର କାର୍ଯ୍ୟସୂଚୀ ପ୍ରକାଶ କରିଛି। ମାତ୍ର ସେଥିରେ ଅଲଷ୍ଟାର ମ୍ୟାଚ୍‌ ସମ୍ପର୍କରେ କିଛି କୁହାଯାଇ ନାହିଁ। ଲିଗ୍‌ ପର୍ଯ୍ୟାୟ ମାର୍ଚ୍ଚ ୨୯ରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଫାଇନାଲ ମେ ୨୪ ତାରିଖରେ ଅନୁଷ୍ଠିତ ହେବ। ଉଭୟ ଉଦ୍‌ଘାଟନୀ ଓ ଫାଇନାଲ ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବାର ଅଛି।

Share