ହେବନାହିଁ ୯ମ ଶ୍ରେଣୀ ଇତିହାସ-ଭୂଗୋଳ ପରୀକ୍ଷା

ଭୁବନେଶ୍ୱର,୧୦ା୪(ବ୍ୟୁରୋ): କରୋନାର ପ୍ରଭାବ ପଡ଼ିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ। ଚଳିତ ୧୪ରେ ଶେଷ ହେବାକୁ ଥିବା ଲକ୍‌ଡାଉନ୍‌ ଅବଧି ୩୦କୁ ବୃଦ୍ଧି ପାଇବା ପରେ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ନେଇ ଚିନ୍ତା ବଢ଼ିଛି। ଏ ପର୍ଯ୍ୟନ୍ତ ଅଧିକାଂଶ ଶ୍ରେଣୀର ପରୀକ୍ଷା ସରି ନ ଥିବାବେଳେ ଏହା ସ୍କୁଲ ଓ ଗଣଶିକ୍ଷା ବିଭାଗର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଅନ୍ୟପଟେ ଏହାର କିପରି ସମାଧାନ କରାଯିବ ତାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ସମସ୍ୟା ସମାଧାନ କରିବାକୁ ଯାଇ ନବମ ଶ୍ରେଣୀର ବାକିଥିବା ଇତିହାସ-ଭୂଗୋଳ ବିଷୟ ପରୀକ୍ଷା ଆଉ ନ କରିବାକୁ ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଉକ୍ତ ବିଷୟକୁ ବାଦ୍‌ଦେଇ ବାକି ସବୁ ବିଷୟରେ ମାର୍କିଂ କରି ଫଳାଫଳ ପ୍ରକାଶ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମାତ୍ର ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ପୂର୍ବରୁ ମନ୍ତ୍ରୀ ଦାଶ ଅଷ୍ଟମ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଇଁ ଅଲ୍‌ ପାସ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଥିଲେ। ନବମ ପିଲାଙ୍କ ଖାତା ମୂଲ୍ୟାୟନ ହେବ ବୋଲି ସୂଚନା ଦେଇଥିଲେ। ଲକ୍‌ଡାଉନ ୧୪ ତାରିଖରେ ସରିବା ମାତ୍ରେ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଶେଷ କରି ଫଳାଫଳ ପ୍ରକାଶ କରିବା ଲାଗି ବିଭାଗ ପକ୍ଷରୁ ସ୍ଥିର କରାଯାଇଥିଲା। ଏବେ ଏହି ନିଷ୍ପତ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ତଦନୁଯାୟୀ ଇତିହାସ-ଭୂଗୋଳ ବିଷୟକୁ ବାଦ୍‌ଦେଇ ଅନ୍ୟ ସବୁ ବିଷୟରେ ହୋଇଥିବା ପରୀକ୍ଷା ଖାତାର ମୂଲ୍ୟାୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ଯୁକ୍ତ୨ ପିଲାଙ୍କ ସମସ୍ତ ପରୀକ୍ଷା ମଧ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଦଶମ ପିଲାଙ୍କ ମୂଲ୍ୟାୟନ କିପରି ହେବ ତାକୁ ନେଇ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପଟେ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଦେଇଛନ୍ତି। ତେଣୁ ଅଧାପନ୍ତରିଆ ରହିଥିବା ପିଲାଙ୍କ ପରୀକ୍ଷା କିପରି ଶେଷ ହେବ ତାହା ଏବେ ସବୁଠାରୁ ବଡ଼ ଚିନ୍ତା ହୋଇ ସରକାରଙ୍କ ନିକଟରେ ଉଭା ହୋଇଛି। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଛୁଟି ମଧ୍ୟରେ ବହି ବଣ୍ଟା କାର୍ଯ୍ୟ ସରିବା କଥା। ହେଲେ ଲକ୍‌ଡାଉନ ଯୋଗୁ ଏବେ ସେଥିରେ ମଧ୍ୟ ସମସ୍ୟା ଉପୁଜିଛି। ବିଭାଗ ପାଖରେ ଗୋଦାମ ଘର ନ ଥିବା କାରଣରୁ ବହିଗୁଡିକ ନଷ୍ଟ ହୋଇଯିବା ଆଶଙ୍କା ରହିଛି। ତେଣୁ ସାମାଜିକ ଦୂରତା ରକ୍ଷା କରି ପିଲାଙ୍କ ପାଖରେ ବହି କିପରି ପହଞ୍ଚତ୍ପାରିବ ତାକୁ ନେଇ ବିଭାଗ ଚିନ୍ତା କରିବା ଆରମ୍ଭ କରିଛି। ଏହିପରି ମୋଟ ୮ଟି ମୁଖ୍ୟ ସମସ୍ୟାର ସମାଧାନ ଲାଗି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ାଯିବ। ଏଥିଲାଗି ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମନ୍ତ୍ରୀ ଦାଶ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Share