ହେଲମେଟ୍‌ ନାହିଁ ତ ଚା’ ନାହିଁ

କେନ୍ଦୁଝର, ୧୪ା୯(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ନିକଟସ୍ଥ ସ୍ପଞ୍ଜ ଛକଠାରେ ଥିବା ଏକ ଚା’ ଦୋକାନ ଆଗରେ ଝୁଲୁଛି ଏକ ବ୍ୟାନର। କୌଣସି ବାଇକ ଆରୋହୀ ହେଲ୍‌ମେଟ ପିନ୍ଧି ନ ଥିଲେ ତାଙ୍କୁ ଚା’ ଦିଆଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ହେଲମେଟ ସଚେତନତା ଲାଗି ଜଣେ ଚା’ ଦୋକାନୀଙ୍କ ଏଭଳି ପ୍ରୟାସ ଅଞ୍ଚଳରେ ଚର୍ଚ୍ଚାକୁ ଆସିଛି।
ବ୍ୟାନର ଝୁଲୁଥିବା ଚା’ଦୋକାନ ସ୍ପଞ୍ଜ ଛକରେ ଦୁଇ ବର୍ଷ ହେଲା ଆରମ୍ଭ ହୋଇଛି। ସରାସକୋଲା ଗ୍ରାମର ଅନାଦି ଚରଣ ପ୍ରଧାନ ଏହି ଦୋକାନ ଚଳାଛନ୍ତି। ତାଙ୍କ ପସ୍ତୁତ ଚା’ର ସ୍ବାଦ ନିଆରା ହୋଇ ଥିବାରୁ ରାସ୍ତାରେ ଯାଉଥିବା ଅଧିକାଂଶ ଦୁଇଚକିଆ ଯାନ ଆରୋହୀ ଅଟକି ଚା’ ପିଇଥାନ୍ତି। ସଡକ ସୁରକ୍ଷା ସଚେତନତା ସୃଷ୍ଟି କରାଯାଉଥିବା ପରିପ୍ରେକ୍ଷୀରେ ସେ ନିଜକୁ ଅଭିନବ ଉପାୟରେ ଏଥିରେ ସାମିଲ କରିଛନ୍ତି । କେହି ହେଲମେଟ୍‌ ପିନ୍ଧି ନ ଥିଲେ ଅନାଦି ତାଙ୍କୁ ଚା’ ଦେବାକୁ ରୋକଠୋକ୍‌ ମନା କରି ଦେଉଛନ୍ତି। ଅନାଦି କହିଛନ୍ତି, ଆଜିର ଯୁବପିଢି ସମାଜସେବା ଭଳି କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ସେ ମଧ୍ୟ ଏ ଦିଗରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ନିଜକୁ ସମାଜସେବାରେ ନିୟୋଜିତ କରି ଅସହାୟ ଲୋକଙ୍କୁ ସେବା ଯୋଗାଇଥାନ୍ତି। ୪୯ବର୍ଷୀୟ ଅନାଦି ଅବିବାହିତ। ନମ୍ର ସ୍ବଭାବ ଓ ଆଚରଣ ତାଙ୍କୁ ଅଞ୍ଚଳରେ ଲୋକପ୍ରିୟ କରିଛି। ସ୍ଥାନୀୟ ଇଲାକାରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ସେ ନିୟମିତ ଭାଗ ନେଉଛନ୍ତି । ସେ ଦିନକୁ ରେଡକ୍ରସ ବାବଦରେ ୨୦ ଟଙ୍କା ଲେଖାଏଁ ଜମା ରଖି ୪ମାସରେ ଥରେ ପ୍ରଶାସନ ନିକଟରେ ଜମା କରି ଆସୁଥାନ୍ତି। ଏହାବାଦ୍‌ ଗରିବ ଓ ଭିକାରି ତାଙ୍କ ଚା’ ଦୋକାନକୁ ଆସିଲେ ସେ ମାଗଣାରେ ଚା’ ଓ ବିସ୍କୁଟ ଦେଇଥାନ୍ତି ବୋଲି କହିିଛନ୍ତି। ସେହିପରିି ଦରକାର ହେଲେ ସେ ରୋଗୀଙ୍କୁ ଗରମ ପାଣି ଯୋଗାଇବା ସହ ଆବଶ୍ୟକ ସାହାଯ୍ୟ କରିଥାନ୍ତି। ନିଜ ଅଞ୍ଚଳରେ ରାସ୍ତା ଦୁର୍ଘଟଣା ଘଟିଲେ ସେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି। ଏହାଛଡା ସେ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କୁ ରକ୍ତ ଯୋଗାଇଥାନ୍ତି। ଏଥିଲାଗି ରେଡକ୍ରସ ସୋସାଇଟିରେ ସେ ଆଜୀବନ ସଦସ୍ୟ ହୋଇ ପାରିଛନ୍ତି। ଏଭଳି ସମାଜସେବା କାର୍ଯ୍ୟ ଲାଗି ଚଳିତବର୍ଷ ଜାନୁୟାରୀ ୨୬ ତାରିଖ ସଧାରଣତନ୍ତ୍ର ଦିବସରେ ସେ ତତ୍କାଳୀନ ଏସ୍‌ପି ଜେ.ଏନ୍‌. ପଙ୍କଜଙ୍କ ନିକଟରୁ ପୁରସ୍କୃତ ହୋଇଛନ୍ତି।