ହେଲ୍ପଲାଇନ୍‌ ନଂ. ଜାରି: ଫସି ରହିଥିବା ଓଡ଼ିଆ, ଓଡ଼ିଶାରେ ଥିବା ବାହାର ରାଜ୍ୟର ଶ୍ରମଜୀବୀଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଏହାର ପ୍ରଭାବକୁ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ ବିଭିନ୍ନ ରାଜ୍ୟରେ ଓଡ଼ିଆମାନେ ଫସି ରହିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କରିବା ଲାଗି ନିବେଦନ କରିଥିଲେ। ଏଥିସହ ପ୍ରବାସୀ ସଂଗଠନଗୁଡ଼ିକୁ ଅନୁରୂପ ଭାବେ ଅନୁରୋଧ କରିଥିଲେ। ବର୍ତ୍ତମାନ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟା ବିଷୟରେ ଅବଗତ ହେବା ପାଇଁ ଗୃହ ବିଭାଗ ପକ୍ଷରୁ ହେଲପଲାଇନ୍‌ ନଂ ୦୬୭୪-୨୩୯୨୧୧୫ ଏବଂ ମୋବାଇଲ ନଂ ୯୪୩୮୯୧୫୯୮୬ କାମ କରୁଛି। ଏଥିରେ ସେମାନଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି। ।

ସେହିଭଳି ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନଙ୍କ ପାଇଁ ଓଡ଼ିଶା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ହେଲ୍ପଲାଇନ୍‌ ନଂ.୧୮୦୦-୩୪୫୬୭୦୩ ଖୋଲାଯାଇଛି। ଅନ୍ୟ ରାଜ୍ୟର ଆବାସିକ କମିଶନରଙ୍କ ସହ ଯୋଗାଯୋଗ କରିବା ଲାଗି ଓଡ଼ିଶାର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ବାହାର ରାଜ୍ୟରୁ ଓଡ଼ିଶାରେ ଥିବା ୯ ହଜାର ଶ୍ରମଜୀବୀଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଛି। ସେମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ, ଉତ୍ତରପ୍ରଦେଶ ରାଜ୍ୟରରୁ ଆସିଥିବା ଜଣାପଡ଼ିଛି। ସେମାନଙ୍କ ଖାଦ୍ୟପେୟ, ରହଣୀ ସହ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏ ନେଇ ଅନ୍ୟ ରାଜ୍ୟର ଆବାସିକ କମିଶନରଙ୍କୁ ଅବଗତ କରାଯାଇଛି ବୋଲି ମଧ୍ୟ ସେ କହିଛନ୍ତି।

Share