ହେଲ୍‌ପରଙ୍କ ହାତ କାଟି ଦିଆଯାଇଥିବା ଅଭିଯୋଗ: ନ୍ୟାୟ, ଚିକିତ୍ସା ସହାୟତା ମାଗିଲେ ପରିବାର

କଣିହାଁ,୬।୧୧(ଡି.ଏନ.ଏ.)-ଏକ ଗାଡ଼ିରେ ହେଲପର ଥିବା କଣିହାଁ ବ୍ଲକ ଦଲକ ପଞ୍ଚାୟତ କଣ୍ଟାପାଳ ଗ୍ରାମର କୃଷ୍ଣ ନାଏକଙ୍କ ଡାହାଣ ହାତକୁ କାଟି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ଓ ଚିକିତ୍ସା ସହାୟତା ପାଇଁ ନିବେଦନ କରିଛନ୍ତି।
କୃଷ୍ଣଙ୍କ ବାପା କପିଳେଶ୍ୱର ନାଏକ କହିଛନ୍ତି, ପରିବାର ପ୍ରତିପୋଷଣ ଆଶାରେ ଏକମାତ୍ର ପୁଅ ସୁନ୍ଦରଗଡ଼ ଜିଲା ବଣାଇ ଅଞ୍ଚଳକୁ ଯାଇଥିଲେ। ସେଠାରେ ସେ ଏକ ଗାଡିରେ ହେଲପର ଭାବେ କାମ କରୁଥିଲେ। ଗତ ଅକ୍ଟୋବର ୨୦ରେ ଉକ୍ତ ଗାଡ଼ିର ମାଲିକ ଘରକୁ ଫୋନ କରି ପାଲଲହଡ଼ାରେ ପୁଅର ଦୁର୍ଘଟଣା ଘଟିଥିବା ଖବର ଦେଇଥିଲେ। ସେଠାକୁ ଯିବା ପରେ ଏକ ବୋଲେରୋରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୁଅ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିଥିଲେ। ପୁଅକୁ ବଞ୍ଚାଇବାକୁ କହି ଗାଡ଼ି ମାଲିକ ଓ ଚାଳକ ପଳାଇ ଯାଇଥିଲେ। ପୁଅର ଡାହାଣ ହାତ ନ ଥିବାବେଳେ ବନ୍ଧୁ ପରିଜନଙ୍କ ସହଯୋଗରେ ତାଙ୍କୁ କଟକ ବଡ଼ମେଡିକାଲକୁ ନେଇଥିଲୁ। ଏକ ଭୁଜାଲିରେ ଗାଡ଼ି ମାଲିକ ଓ ଚାଳକ ଡାହାଣ ହାତ ହାଣି ଫିଙ୍ଗି ଦେଇଥିବା ପୁଅ କହିଥିଲେ। ଏ ସଂକ୍ରାନ୍ତରେ ସୁନ୍ଦରଗଡ଼ ଜିଲା ଟେନସା ଥାନାରେ ଅଭିଯୋଗ କରିଥିଲୁ। ପୋଲିସ ନଂ. ୧୧୪/୧୯ରେ ଏକ ମାମଲା ରୁଜୁ କରିଛି। ହେଲେ ଏତେ ଦୂରରୁ କିପରି ନ୍ୟାୟ ପାଇବୁ ତାହା ଚିନ୍ତାର ବିଷୟ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆମକୁ ନ୍ୟାୟ ଦେବା ସହ ପୁଅର ଚିକିତ୍ସାରେ ସହାୟତା କରିବାକୁ କପିଳେଶ୍ୱର କୋହଭରା କଣ୍ଠରେ ନିବେଦନ କରିଛନ୍ତି।

Share