ହେଲ୍‌ମେଟ ଚେକ୍‌ ଆଳରେ ଜୟପୁର ପୋଲିସର ଦବଙ୍ଗଗିରି: ଭିଡିଓ ଭାଇରାଲ

ଜୟପୁର, ୧୮।୬(ନି.ପ୍ର.): କୋରାପୁଟ ଜିଲା ଜୟପୁର ୨୦ ନମ୍ବର ଜାତୀୟ ରାଜପଥ ଟାଉନ ଥାନା ସମ୍ମୁଖରେ ମଙ୍ଗଳବାର ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ହେଲ୍‌ମେଟ ଚେକ ଆଳରେ ପୋଲିସ ବାଇକ୍‌ଆରୋହୀଙ୍କୁ କିପରି ନିସ୍ତୁକ ମାଡ଼ ମାରୁଛନ୍ତି ତାହା ସମ୍ମୁଖକୁ ଆସିଛି। ଏଥିରେ ବହୁ ଲୋକେ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଏସ୍‌ଆଇ ଜିତେନ୍ଦ୍ର ନାୟକ ଓ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟାରି ମେମ୍ବର ଏପରି କାର୍ଯ୍ୟ କରିଥିବା ଜଣାପଡ଼ିଛି। ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ପ୍ରକାଶ ଯେ, ଏସ୍‌ଆଇ ନାୟକ ମଙ୍ଗଳବାର ହେଲମେଟ୍‌ ଚେକ୍‌ କରୁଥିଲେ। ଏହି ସମୟରେ ସେ ଉତ୍ତ୍ୟକ୍ତ ହୋଇ ଲୋକଙ୍କୁ ମାଡ଼ ମାରିଥିଲେ। ଏଥିରେ ବରିଷ୍ଠ ନାଗରିକ ମଧ୍ୟ ବର୍ତ୍ତି ନାହାନ୍ତି। ମାତ୍ର ସେହି ସମୟରେ ଜଣେ ପୋଲିସ ଅଧିକାରୀ ବିନା ହେଲ୍‌ମେଟରେ ଉକ୍ତ ରାସ୍ତାଦେଇ ଯାଉଥିବା ବେଳେ ତାଙ୍କୁ କାର୍ଯ୍ୟରତ ପୋଲିସ କର୍ମଚାରୀ ଛାଡ଼ି ଦେଇଥିଲେ। ଏହାକୁ ଦେଖି ଦେଖେଣାହାରୀ ଅବାକ୍‌ ହୋଇଯାଇଥିଲେ। ଏମିତିକି ସ୍କୁଟିରେ ଯାଉଥିବା କଲେଜ ଛାତ୍ରୀଙ୍କୁ ମଧ୍ୟ ପୋଲିସ ମାଡ଼ ମାରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି।
ଗତ କିଛି ଦିନ ତଳେ ଟାଉନ ଥାନାରେ ଜଣେ ଏଏସ୍‌ଆଇ ନିରିହ ଲୋକଙ୍କୁ ମାଡ଼ମାରି ବଦଳି ହୋଇଥିବା ମାମଲା ମାନାବାଧିକାର କମିଶନ ନିକଟରେ ପହଞ୍ଚିଛି। ପୁଣିଥରେ ଜୟପୁର ପୋଲିସର ଦବଙ୍ଗଗିରିି ବନ୍ଦ କରିବା ସହ ଉକ୍ତ ଏସ୍‌ଆଇଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟପୁରବାସୀ ଦାବି କରିଛନ୍ତି।

Share