Categories: ଜାତୀୟ

ହେଲ୍‌ମେଟ ପିନ୍ଧି ପିଆଜ ବିକିଲେ ସମବାୟ ସମିତି କର୍ମଚାରୀ

ପାଟନା,୩୦।୧୧: ପିଆଜର ଦର ଏତେ ବଢି ଯାଇଛି ଯେ ଏହାକୁ କିଣିବାକୁ ଗ୍ରାହକ ଭୟ କରୁଥିବା ବେଳେ ଏହାକୁ ବିକ୍ରି କରିବାକୁ ମଧ୍ୟ ଲୋକେ ଡରୁଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ମୋବାଇଲ ଭ୍ୟାନ ମାଧ୍ୟମରେ କେତେଜଣ ସମବାୟ ସମିତି କର୍ମଚାରୀ ପିଆଜ ବିକିବାକୁ ଯାଇଥିବା ବେଳେ ମୁଣ୍ଡରେ ହେଲ୍‌ମେଟ ପିନ୍ଧିଥିବା ଦେଖାଯାଇଛି। ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ କହିଛନ୍ତି ସୁରକ୍ଷାକୁ ଦୃଷ୍ଟିରେ ରଖି କାଳେ କେହି ଆମକୁ ଆକ୍ରମଣ କରିବ ସେଥିପାଇଁ ଆମେ ହେଲମେଟ୍‌ ପିନ୍ଧିଛୁ। କାରଣ ଆମକୁ ପୋଲିସ ସୁରକ୍ଷା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, କିଛିଦିନ ହେବ ଭାରତର ଅଧିକାଂଶ ଅଞ୍ଚଳରେ ପିଆଜ କିଲୋ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ହେଲେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବାକୁ ବିଭିନ୍ନ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ବିହାରର ଷ୍ଟେଟ କୋଅପରେଟିଭ ମାର୍କେଟିଂ ୟୁନିୟନ ଲିମିଟେଡ ନିକଟରେ ୩୫ ଟଙ୍କାରେ ପିଆଜ ଯୋଗାଇ ଦେବାକୁ ମୋବାଇଲ ଭ୍ୟାନର ସହାୟତା ନେଇଥିଲା। ଆଉ ଏହି ମୋବାଇଲ ଭ୍ୟାନ ନିକଟରେ କିଲୋ ପିଛା ୩୫ ଟଙ୍କା ଦରରେ ପିଆଜ କିଣିବାକୁ ଲୋକଙ୍କର ଭିଡ ପରିଲକ୍ଷିତ ହୋଇଥିଲା। କିନ୍ତୁ ଏହାକୁ ବଣ୍ଟନ କରିବାକୁ ଆସିଥିବା କର୍ମଚାରୀ ଭିଡକୁ ଦେଖି ହେଲମେଟ୍‌ ପିନ୍ଧି ଦେଇଥିଲେ।

Share