ହୋଇପାରିଲାନି ଟିକାକରଣ: ଫେରିଲେ ଗର୍ଭବତୀ, ଶିଶୁ

ଆରଡ଼ି,୧ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ନିକଟସ୍ଥ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ୫ ଅଙ୍ଗନଓ୍ବାଡ଼ି କର୍ମୀ, ୩ ଆଶାକର୍ମୀ, ଜଣେ ଏଏନ୍‌ଏମ୍‌. ଏବଂ ଜଣେ ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ। ହେଲେ ଭ୍ୟାକ୍ସିନ୍‌ ପହଞ୍ଚି ପାରି ନ ଥିଲା ା କେବଳ ୦ରୁ ୬ ମାସ ଶିଶୁଙ୍କ ପାଇଁ ଆବଶ୍ୟକ ପରିମାଣର ଭ୍ୟାକ୍ସିନ୍‌ ଉପଲବ୍ଧ ଥିଲା। ସେହି ଶିଶୁମାନଙ୍କୁ ଟିକାକରଣ କରାଯାଇଥିବା ବେଳେ ଅନ୍ୟ ଶିଶୁ ଓ ଗର୍ଭବତୀ ମହିଳାମାନେ ଦୀର୍ଘଘଣ୍ଟା ଖରାରେ ଅପେକ୍ଷା କରି ଫେରିଥିଲେ। ସବଠୁ ବଡ଼ କଥା ହେଲା କରୋନା କଟକଣା ଏଠାରେ ବେଖାତିର କରାଯାଇଥିଲା। ବାରଣ୍ଡାରେ ସାମାଜିକ ଦୂରତା ରକ୍ଷା ନ କରି ବହୁ ମହିଳା ଓ ଶିଶୁ ଠୁଳ ହୋଇଥିଲେ। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକାକରଣ କରିବାର ନିୟମ ଥିବାବେଳେ ଏହି ନିୟମ କିପରି ଭଙ୍ଗ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।