ହୋଟେଲରେ ଚମକୁଛି ଏଭରେଷ୍ଟ ବର୍ଜ୍ୟ

କାଠମାଣ୍ଡୁ: କାଠମାଣ୍ଡୁର ଏକ ପଞ୍ଚତାରକା ହୋଟେଲରେ ସମୟ ଅତିବାହିତ କରୁଥିବା କେତେଜଣ ପର୍ଯ୍ୟଟକଙ୍କୁ ଚମକୁଥିବା ରଙ୍ଗିନ ପାତ୍ର, ଗ୍ଲାସ୍‌ରେ ପରଷାଗଲା ଖାଦ୍ୟପେୟ। ଯେତେବେଳେ ପର୍ଯ୍ୟଟକଙ୍କୁ କୁହାଗଲା ସେମାନେ ବ୍ୟବହାର କରିଥିବା ବାସନ ଏଭରେଷ୍ଟରୁ ସଂଗୃହୀତ ବର୍ଜ୍ୟରୁ ପ୍ରସ୍ତୁତ, ସେତେବେଳେ ସେମାନେ ପରସ୍ପର ମୁହଁକୁ ଆବାକାବା ହୋଇ ଚାହିଁ ରହିଲେ। ସବୁଠାରୁ ବଡ଼ କଥା ଯେ, ବର୍ଜ୍ୟବସ୍ତୁରୁ ତିଆରି ଫୁଲଦାନି, ଲ୍ୟାମ୍ପ, ଗ୍ଲାସ, ଦୀପ ଏବଂ ବାସନକୁସନର ଆଞ୍ଚଳିକ ବଜାରରେ ଖାସ୍‌ ଚାହିଦା ରହିଛି। ଆବର୍ଜନାକୁ ପୁନଃ ବ୍ୟବହାରଯୋଗ୍ୟ ବା ରିସାଇକ୍ଲିଂ କରୁଥିବା ‘ବ୍ଲୁ ବେଷ୍ଟ ଟୁ ଭ୍ୟାଲ୍ୟୁ’ ସଂସ୍ଥାର ନବୀନ ମହାରଞ୍ଜନ କୁହନ୍ତି, ଆବର୍ଜନାକୁ ଅଦରକାରୀ ବୋଲି ଭାବିବା ଅନୁଚିତ। ଏଭରେଷ୍ଟରୁ ଆଲୁମିନିୟମ କେନ୍‌, କାଚ ବୋତଲ, ପ୍ଲାଷ୍ଟିକ ବ୍ୟାଗ୍‌, ଲୁହା ଭଳି ହଜାର ହଜାର କେଜି ଆବର୍ଜନା ସଂଗ୍ରହ କରାଯାଇଛି। ସେଥିରୁ ଅଧିକାଂଶର ପୁନଃଚକ୍ରଣ ସମ୍ଭବ। ଆବର୍ଜନାକୁ ଉପଯୋଗ କରି ଘରସଜା ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ‘ମୋବାରେ ଡିଜାଇନ୍ସ’ର ଉଜେନ ଲେପଚାଙ୍କ କହିବା କଥା, ଲୋକମାନେ ଏପରି ଉତ୍ପାଦ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସେମାନେ ପଚାରୁଛନ୍ତି କ’ଣ ବର୍ଜ୍ୟରୁ ଏପରି ସାମଗ୍ରୀ ପ୍ରସ୍ତୁତ ସମ୍ଭବ। ସୂଚନାଯୋଗ୍ୟ, ପୃଥିବୀର ଏହି ସର୍ବୋଚ୍ଚ ଗିରିଶୃଙ୍ଗ ଶିଖରରେ ପାଦ ଥାପିବା ଅଧିକାଂଶ ଦୁଃସାହସିକ ପର୍ବତାରୋହୀଙ୍କ ସ୍ବପ୍ନ। ଅଭିଯାନ ଶେଷ ହେଉ ହେଉ ପର୍ବତାରୋହୀଙ୍କ ନାମ ଯୋଡ଼ି ହୋଇଯାଏ ଇତିହାସ ପୃଷ୍ଠାରେ। ହେଲେ ଏଭରେଷ୍ଟ ଶିଖରରେ ଆଉ ଯାହା ବାକି ରହିଯାଏ ତାହା ହେଉଛି କୁଢ଼ କୁଢ଼ ଆବର୍ଜନା। ଖାସ୍‌ ଏହି କାରଣରୁ ଏଭରେଷ୍ଟ ଏବେ ପରିଣତ ହୋଇଛି ଆବର୍ଜନା କୁଣ୍ଡରେ, ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ନେପାଳ ସରକାର। ଏହି କ୍ରମରେ ଏଭରେଷ୍ଟକୁ ବର୍ଜ୍ୟମୁକ୍ତ କରିବାକୁ ବଛା ବଛା ପର୍ବତାରୋହୀଙ୍କୁ ନେଇ ଆରମ୍ଭ ହୋଇଛି ସ୍ବଚ୍ଛତା କାର୍ଯ୍ୟକ୍ରମ ‘କ୍ଲିନ୍‌ ଏଭରେଷ୍ଟ’। ୬ସପ୍ତାହ ଧରି ଚାଲିଥିବା ଏକ ଅଭିଯାନରେ ୧୧ ଟନ୍‌ରୁ ଊର୍ଦ୍ଧ୍ୱ ବର୍ଜ୍ୟ ସଂଗ୍ରହ କରାଯାଇଛି। ସେସବୁକୁ ପୁନଃବ୍ୟବହାର କରିବାକୁ ଏବେ ଉଦ୍ୟମ ଆରମ୍ଭ ହୋଇଛି।

Share