Categories: ଜାତୀୟ

ହୋଟେଲରେ ଥିବା ବିଧାୟକଙ୍କ ପଛରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ସରକାର ଗଠନକୁ ନେଇ ଚାଲିଥିବା ଅଙ୍କକଷା ଏବେବି ଲାଗି ରହିଛି। ଗୋଟିଏ ପଟେ ଭାଜପା ନେତୃତ୍ୱରେ ସରକାର ଗଠନ କରାଯାଇଥିଲେ ମଧ୍ୟ ଏବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାଲିଛି କଡା କସରତ। ଘୋଡା ବେପାରକୁ ଦୃଷ୍ଟିରେ ରଖି ଶିବସେନା, ଏନ୍‌ସିପି ଓ କଂଗ୍ରେସ ସେମାନଙ୍କ ବିଧାୟକମାନଙ୍କୁ ନେଇ ହୋଟେଲରେ ରଖିଛନ୍ତି। ଏପେଟେ ସାଧାରଣ ଜନତା ମହାରାଷ୍ଟ୍ର ସରକାର ଗଠନକୁ ଚାହିଁ ବସିଥିବା ବେଳେ ସେପଟେ କିନ୍ତୁ ବିଧାୟକମାନଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଲିଛି ଦଳ। କୁହାଯାଉଛି ବିଧାୟକମାନେ ଯେଉଁ ହୋଟେଲରେ ଅଛନ୍ତି ତା’ର ଗୋଟିଏ କୋଠରୀର ଦିନକୁ ଭଡା ୧୮ ହଜାରରୁ ଊର୍ଦ୍ଧ୍ୱ। ଯେହେତୁ ଏହା ପୂର୍ବରୁ ବୁକ୍‌ କରାଯାଇନାହିଁ ଶେଷରେ ବୁକ୍‌ କରାଯାଇଥିବାରୁ ଏହା ଆହୁରି ଅଧିକ ହୋଇଥିବ ବୋଲି ଅନୁମାନ କରାଯାଉଛି। ସେହିପରି ଉକ୍ତ ଭିଆଇପି ହୋଟେଲରେ ଗୋଟିଏ ରୁଟିର ଦାମ୍‌ ୩ଶହ ଟଙ୍କା ଥିବା ବେଳେ ସାଧାରଣ ତରକାରି ଅତିକମ୍‌ରେ ୬୫୦ ଟଙ୍କା ରହିଛି। ଯଦିଓ ବିଧାୟକମାନେ କ’ଣ ଖାଉଛନ୍ତି ସେ ସମ୍ପର୍କରେ କିଛି ଖବର ନାହିଁ ତଥାପି ଏମାନେ ଦିନକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବେ ବୋଲି କୁହାଯାଏ। ଶାସନ ଗାଦିରେ ବସିବାକୁ ଚାହୁଁଥିବା ଶିବସେନା, ଏନ୍‌ସିପି ଓ କଂଗ୍ରେସ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ଏବେ ଚର୍ଚ୍ଚାକୁ ଆସିଲାଣି।

Share