ହୋଟେଲରେ ଦୁଇଟି କଦଳୀର ବିଲ୍‌ ଆସିଲା ୪୪୨ଟଙ୍କା, ଚକିତ ହେଲେ ରାହୁଲ ବୋଷ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବା ସମୟରେ ଏକ ଅଜବ ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସେ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି। କଥାଟି ଏପରି। ଫିଲ୍ମର ଶୁଟିଂ ଚାଲୁଥିବା ଯୋଗୁ ରାହୁଲ ସେଠାକାର ଏକ ବଡ଼ ହୋଟେଲରେ ରହୁଛନ୍ତି। ଏଠାରେ ସେ ଖାଇବା ନିମନ୍ତେ ଦୁଇଟି କଦଳୀ ଅର୍ଡର କରିଥିଲେ। ତେବେ ଏହାର ବିଲ୍‌ ଆସିବା ପରେ ରାହୁଲ ଚକିତ ହୋଇପଡ଼ିଥିଲେ। କାରଣ ଦୁଇଟି କଦଳୀର ମୂଲ୍ୟ ଥିଲା ୪୪୨ଟଙ୍କା। ଭିଡିଓ ସହ ନିଜର ଏହି ଅଭିଜ୍ଞତା ଶେୟାର କରିବା ସମୟରେ ‘କିଏ କହିଲା ଫଳ ଆପଣଙ୍କ ଜୀବନଲାଗି କ୍ଷତିକାରକ ନୁହେଁ?’ ବୋଲି ବ୍ୟଙ୍ଗାତ୍ମକ ଭାବେ ରାହୁଲ ଲେଖିଛନ୍ତି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଅନେକ ବ୍ୟବହାରକାରୀ ଏହା ଉପରେ ମଜାଦାର କମେଣ୍ଟ ଦେଉଛନ୍ତି। ବିଲ୍‌ ପ୍ରସ୍ତୁତ କରୁଥିବା ବେଳେ ଯେତିକି ଜିଏସ୍‌ଟି ଲାଗିଛି, ସେତିକି ଟଙ୍କାରେ ଗୋଟିଏ ଡର୍ଜନ କଦଳୀ ଆସିପାରିଥାନ୍ତା ବୋଲି ଜଣେ କହିଛନ୍ତି।

Share