ସୋର,୨୮।୨(ଡି.ଏନ.ଏ.)- ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ଓ ଗୁଇନ୍ଦା ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପଲେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋର ଅବକାରୀ ଥାନା ଓ ଜିଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ଥାନା ତରଫରୁ ଗୁରୁବାର ସୋରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଛି। ଏଥିସହିତ ସୋର ଉତ୍ତରେଶ୍ୱରସ୍ଥିତ ସାଇରାଜ ହୋଟେଲରେ ନକଲି ବିଦେଶୀ ମଦ କାରଖାନା ଠାବ କରାଯାଇ ବିଭିନ୍ନ ସାମଗ୍ରୀ ସହିତ ୯ଶହ ଠିପି, ଲେବୁଲ, ୩୧ ଲିଟର ସ୍ପିରିଟ, ୧୭ଲିଟର କେମିକାଲ ଜବତ କରାଯାଇଥିବାବେଳେ ହୋଟେଲ ମାଲିକ ସ୍ବାଗତ ଆଶଙ୍କୁ ଗିରଫ କରାଯାଇଛି। ଅନ୍ୟ ଗିରଫ ମାନେ ହେଲେ ମୂଳେଶ୍ୱର ଗ୍ରାମର କୈଳାସ ସାହୁ, ଅଡ଼ଙ୍ଗ ବଜାରର ଜନାର୍ଦ୍ଦନ ପାତ୍ର, ମଞ୍ଜୁଲତା ପରିଡ଼ା, ମଞ୍ଜୁ ଜେନା ଏବଂ ଅଜୟ ଜେନା। ଏନେଇ ମାମଲା ରୁଜୁ ହେବାପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।