ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଭିନ୍ନମୋଡ଼:ଅଭିଯୋଗ ଆଣିଥିବା ବାଂଲାଦେଶୀ ଯୁବତୀ ଗିରଫ

କଟକ ରୋଡ,୨୫ା୧୨(ଡି.ଏନ୍‌.ଏ.):ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡର ଏକ ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଏବଂ ମାଡ଼ ଘଟଣାରେ ଭିନ୍ନ ମୋଡ଼ ନେଇଛି। ଥାନାରେ ଅଭିଯୋଗ ଆଣିଥିବା ବାଂଲାଦେଶୀ ଯୁବତୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଯୁବତୀଙ୍କ ଘର ବାଂଲାଦେଶ ହୋଇଥିବା ବେଳେ ସେ ନକଲି ଆଧାର କାଡର୍ର୍ ଦେଇ ଏହି ହୋଟେଲ୍‌ରେ ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ପୋଲିସ ସୂଚନା ଅନୁଯାୟୀ, ଯୁବତୀଙ୍କ ଘର ବାଂଲାଦେଶ ହୋଇଥିବା ବେଳେ ଗତ ୧୬ ତାରିଖରେ ସେ ନିଜକୁ ପଶ୍ଚିମବଙ୍ଗ ଅଞ୍ଚଳର ଦର୍ଶାଇବା ସହ ନକଲି ଆଧାର କାର୍ଡ ଦେଇ ଗତ ୧୬ତାରିଖରେ କଟକ ରୋଡସ୍ଥିତ ଏକ ହୋଟେଲ୍‌ରେ ରହିଥିଲେ। ଉକ୍ତ ରାତିରେ ହୋଟେଲ୍‌ର ପରିଚାଳକ ଓ କର୍ମଚାରୀ ତାଙ୍କୁ ବଳାତ୍କାର ଉଦ୍ୟମ କରି ବିଫଳ ହେବା ପରେ ମାଡ଼ ମାରିଥିଲେ ବୋଲି ୧୭ତାରିଖରେ ଯୁବତୀ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ଦେଇଥିଲେ। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୩୭୭/୧୯)ରୁଜୁକରି ୨ କର୍ମଚାରୀଙ୍କୁ ଗିରଫ କରିଥିଲା। ପରେ ଯୁବତୀଙ୍କୁ ଏକ ସ୍ବଧାର ଗୃହକୁ ପଠାଇ ଦେଇଥିଲା। ଅନ୍ୟପକ୍ଷେ ପୋଲିସ ପକ୍ଷରୁ ଯୁବତୀଙ୍କ ଠିକଣା ଯାଞ୍ଚ କରାଯାଇଥିଲା। ଆଧାର କାର୍ଡ ଠିକଣାକୁ ଯାଞ୍ଚ କରିବାରେ ପଞ୍ଚିମବଙ୍ଗ ପୋଲିସର ସହଯୋଗ ନିଆଯାଇଥିଲା। ମାତ୍ର ଠିକଣା ମିଥ୍ୟା ଥିବା ପଞ୍ଚିମବଙ୍ଗ ପୋଲିସ ଜଣାଇଥିଲା। ଫଳରେ ଯୁବତୀଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପରେ ଯୁବତୀଙ୍କୁ ପରିଚୟ ଏବଂ ଠିକଣା ବିଷୟରେ ପୋଲିସ ବାରମ୍ବାର ପ୍ରଶ୍ନ କରିବାରୁ ତାଙ୍କ ଘର ବାଂଲାଦେଶ ବୋଲି କହିଥିବା ଥାନା ଅଧିକାରୀ ଦୟାନିଧି ନାୟକ ସୂଚନା ଦେଇଛନ୍ତି। ତେବେ ଯୁବତୀଙ୍କୁ ଆଧାର କାର୍ଡ ଯୋଗାଇବା ସହ ବାଂଲାଦେଶରୁ ତାଙ୍କୁ ଏଠାକୁ ଆଣିବାରେ ପୁରୀ ଜିଲାର ୨ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ଥାନା ଅଧିକାରୀ ନାୟକ କହିଛନ୍ତି। ତଦନ୍ତକାରୀ ଅଧିକାରୀ ବିଶ୍ୱମ୍ବର ପ୍ରଧାନଙ୍କ ଅଭିଯୋଗକ୍ରମେ ଦଫା ୪୬୮, ୪୭୧, ୪୧୯ ସେକ୍ସନ ୧୪ ଫରେନର୍‌ ଆକ୍ଟରେ ଏକ (ନଂ.୩୮୩/୧୯ରେ) ମାମଲା ରୁଜୁ ହୋଇଛି।

Share