ଦାରିଙ୍ଗବାଡ଼ି,୨୮।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଛକଠାରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଏକ ହୋଟେଲ ଭିତରେ ଗୁରୁବାର ପୂର୍ବାହ୍ନରେ ପଶିଯିବାରୁ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅଡାଗାଡ଼ୁ ଗ୍ରାମର ଦୀପା ପ୍ରଧାନ, ପ୍ରମିଳା ପ୍ରଧାନ, ରାଇକିଆ ଥାନା କାଣ୍ଡାବାଡ଼ା ଗ୍ରାମର କାଥିରିନା ପ୍ରଧାନ, ସିକକେତା ଗ୍ରାମର ଆଲିନା ପ୍ରଧାନ ଏବଂ ବୁଡୁକେଜୁ ଗ୍ରାମର ମିନତୀ ପ୍ରଧାନ ବୋଲି ଜଣାପଡ଼ିଛି। ସେମାନଙ୍କୁ ପୋଲିସ ଉଦ୍ଧାର କରି ଦାରିଙ୍ଗବାଡ଼ି ଏବଂ ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛି। ବସ୍ଟି ହୋଟେଲ ଭିତରେ ପଶିଯିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝିଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ସୌମ୍ୟରଞ୍ଜନ ଜେନା ପହଞ୍ଚି ଯାତ୍ରୀବାହୀ ବସ୍କୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖିଛନ୍ତି। ହୋଟେଲର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବାରୁ ହୋଟେଲ ମାଲିକ ବାସୁଦେବ ସାହୁ ଏନେଇ କ୍ଷତିପୂରଣ ଦାବି ସହ ଥାନାରେ ଅଭିଯୋଗ କରିଛନ୍ତି।