Categories: ଖେଳ

ହୋବାର୍ଟ ଇଣ୍ଟର ନ୍ୟାଶନାଲ ସେମିରେ ସାନିଆ

ହୋବାର୍ଟ, ୧୬।୧ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇବର୍ଷ ପରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିବା ସାନିଆ ୟୁକ୍ରେନର ନାଡିଆ କିଚେନୋକ୍‌ଙ୍କୁ ସାଥୀ କରି ଏହି ପ୍ରତିଯୋଗିତା ଖେଳୁଛନ୍ତି। ଗୁରୁବାର ସକାଳେ ଖେଳାଯାଇଥିବା ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ସାନିଆ-ନାଡିଆ ଯୋଡ଼ି ୬-୨, ୪-୬, ୧୦-୪ ସେଟ୍‌ରେ ଆମେରିକୀୟ ଯୋଡ଼ି ଭାନିଆ କିଙ୍ଗ୍‌ ଓ କ୍ରିଷ୍ଟିନା ମ୍ୟାକ୍‌ହାଲେଙ୍କୁ ପରାସ୍ତ କରିଛନ୍ତି। ସେମିଫାଇନାଲରେ ଏହି ଇଣ୍ଡୋ-ୟୁକ୍ରେନ ଯୋଡ଼ିଙ୍କ ମୁକାବିଲା ସ୍ଲୋଭେନିଆ-ଚେକ୍‌ ରିପବ୍ଲିକ ଯୋଡ଼ି ତାମାରା ଜିଡାନସେକ ଓ ମାରିଏ ବୋଉଜକୋଭାଙ୍କ ସହ ହେବ। ପୂର୍ବରୁ ସାନିଆ ଓ ନାଡିଆ ଯୋଡ଼ି ସହଜରେ ପ୍ରଥମ ରାଉଣ୍ଡ ମୁକାବିଲାକୁ ଜିତିଥିଲେ। ଉଲ୍ଳେଖଥାଉକି, ୩୩ ବର୍ଷୀୟା ସାନିଆ ଶେଷଥର ପାଇଁ ୨୦୧୭ରେ ଚାଇନା ଓପନ୍‌ରେ ଖେଳିଥିଲେ। ଏହାପରେ ପୁତ୍ର ସନ୍ତାନ ଇଜହାନଙ୍କୁ ଜନ୍ମ ଦେବାପରେ ସେ ଟେନିସରୁ ଦୂରେଇ ଯାଇଥିଲେ। ହୋବାର୍ଟ ଇଣ୍ଟରନ୍ୟାଶନାଲ ଜରିଆରେ ସେ ପୁଣିଥରେ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Share