ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ରାତିରେ ଚିତ୍ରକୋଣ୍ଡା ପୋଲିସ ପାଟ୍ରୋଲିଂ ପାଇଁ ଗୁଣ୍ଠାଓ୍ବାଡା ଯାଇଥିଲା। ହଂସଗୁଡା ଆଡକୁ ଆସୁଥିବା ଏକ ଟ୍ରାକ୍ଟର ଉପରେ ସନ୍ଦେହ ହେବାରୁ ପୋଲିସ ତାକୁ ରୋକିବାକୁ ଚେଷ୍ଟା କରିଥିଲା। କିନ୍ତୁ ଟ୍ରାକ୍ଟର ଡ୍ରାଇଭର ଗାଡିକୁ ନ ରଖି ଦ୍ରୁତ ଗତିରେ ଚଲାଇଥିଲେ। ଫଳରେ ପୋଲିସ ଟ୍ରାକ୍ଟରକୁ ପିଛା କରିଥିଲା। ହୋମଗାର୍ଡ ଟୁନା ବୈରାଗୀ ଗାଡିରୁ ଓହ୍ଲାଇ ଟ୍ରାକ୍ଟରକୁ ରୋକିବାକୁ ତା ଆଗରେ ଛିଡା ହୋଇପଡିଥିଲେ। କିନ୍ତୁ ଡ୍ରାଇଭର ଜଣଙ୍କ ଗାଡିକୁ ନ ରଖି ଟୁନାଙ୍କ ଉପରେ ଚଢାଇ ଦେଇଥିଲେ। ଫଳରେ ତାଙ୍କ ଅଣ୍ଟା ଚାପି ହୋଇଯାଇଥିଲା। କ୍ଷତାକ୍ତ ଅବସ୍ଥାରେ ତାଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ନିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ଟ୍ରାକ୍ଟରରେ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ବୋଝେଇ ହୋଇଆସୁଥିଲା। ପୋଲିସ ଟ୍ରାକ୍ଟର ବସିଥିବା ଦୁଇଜଣକୁ କାବୁ କରିଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।

Share