ହୋମିଓପାଥିକ କଲେଜ

ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ମୟୂରଭଞ୍ଜ ଜିଲା। ଏହି ଜିଲାର ବାରିପଦାଠାରେ କେତେଜଣ ସାମାଜିକ କର୍ମୀ ଓ ହୋମିଓପାଥିକ ଔଷଧ ସେବନକୁ ଭଲ ପାଉଥିବା ଲୋକଙ୍କ ପ୍ରଚେଷ୍ଟାରେ ୧୯୮୦ ମସିହାରେ ଆରମ୍ଭ ହୋଇଥିଲା ହୋମିଓପାଥିକ କଲେଜ। କଲେଜର ପ୍ରତିଷ୍ଠାତା ଡାକ୍ତର ଗୌରଚନ୍ଦ୍ର ଗିରିଙ୍କ ବାଘଡା ରୋଡ ବସଷ୍ଟାଣ୍ଡ ଛକସ୍ଥିତ ଘରୋଇ କ୍ଲିନିକ, ପାଣ୍ଡେ ଏମ୍‌ଇ ସ୍କୁଲ ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି କଲେଜ ଚାଲିଥିଲା। ପରେ ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାଠାରେ ଉକ୍ତ କଲେଜ ପରିଚାଳିତ ହେଉଛି। ଏହି କଲେଜର ପରିଚାଳନା କମିଟି ସଭାପତି ହେଉଛନ୍ତି ଜିଲାପାଳ। ଏପରି କି ଏହି କଲେଜ ରାଜ୍ୟ ସରକାରଙ୍କ ସ୍ଥାୟୀ ସ୍ବୀକୃତିପ୍ରାପ୍ତ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁମୋଦିତ। ଏହାର ଆବଶ୍ୟକ ଜାଗା, ଗୃହ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ଉକ୍ତ କଲେଜର ଡାକ୍ତରଖାନାକୁ ଜିଲାର ବହୁ ରୋଗୀ ଚିକିତ୍ସିତ ହେବାକୁ ପ୍ରତିଦିନ ଆସିଥାନ୍ତି। ଏହାପରେ ବି ଉକ୍ତ କଲେଜ ସରକାରୀକରଣ ହେଉ ନ ଥିବାରୁ ଏହାର ପରିଚାଳନା କ୍ଷେତ୍ରରେ ବହୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ଏଥିଯୋଗୁ କଲେଜର ଭାଗ୍ୟ ଏବେ ବି ଅନ୍ଧକାରମୟ ଅବସ୍ଥାରେ ରହିଛି। ବିଭିନ୍ନ ମହଲରୁ ଦାବି ପରେ ସରକାର ଏହି ହୋମିଓପାଥିକ କଲେଜ ଏବଂ ଆୟୁର୍ବେଦିକ କଲେଜକୁ ସରକାରୀକରଣ କରିବା ପାଇଁ ୨୦୧୩ ମସିହାରେ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ୩୯ ବର୍ଷର ଏହି ଅନୁଷ୍ଠାନ ପ୍ରତି ସରକାରଙ୍କ ଅବହେଳାକୁ ନେଇ ହୋମିଓପାଥିକ ଔଷଧ ସେବନକୁ ଭଲପାଉଥିବା ଲୋକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।