ହୋମ୍‌ଗାର୍ଡଙ୍କୁ ଗାଳିଗୁଲଜ, ଧମକ ଦେବା ଘଟଣା ପାଲଟା ଅଭିଯୋଗ କଲେ ବିଜେଡି ନେତା

ବରୀ/ରତ୍ନଗିରି,୧୫।୧୦(ସ୍ବ.ପ୍ର/ଡିଏନଏ)- ବରୀରେ ହୋମଗାର୍ଡ ଓ ବିଜେଡି ନେତାଙ୍କ ବିବାଦ ତେଜିବାରେ ଲାଗିଛି। ଗତ ୯ ତାରିଖ ବରୀ ଥାନାର ଜଣେ ହୋମଗାର୍ଡଙ୍କୁ ଗାଳିଗୁଲଜ ଓ ଧମକ ଦେବା ଅଭିଯୋଗରେ ୩ ବିଜେଡି ନେତାଙ୍କ ବିରୋଧରେ ପୋଲିସ ଏକ ମାମଲା (୨୩୪/୧୯) ରୁଜୁ କରିଥିଲା। ଏହାର ଦୁଇ ଦିନ ପରେ ରବିବାର ହୋମଗାର୍ଡ ରଞ୍ଜନ ମଲିକଙ୍କ ବିରୋଧରେ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଆଉ ଏକ ମାମଲା(୨୩୫/୧୬) ରୁଜୁ କରି ତଦନ୍ତ ଜାରି ରଖିଛି। ହୋମଗାର୍ଡଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମୁତାବକ, ଗତ ୯ତାରିଖ ବରୀ ଥାନା ଅଭିମୁଖେ ବିଜେଡି ନେତା ଦେବେନ୍ଦ୍ର ଦାସ, ସନ୍ତୋଷ ସାମଲ, ଅଶୋକ ସାମଲ ଯାଉଥିଲାବେଳେ ହୋମଗାର୍ଡ ରଞ୍ଜନ ତାଙ୍କ ଗାଡ଼ିକୁ ତିନି ମୁହାଣି ପୋଲ ନିକଟରେ ଅଟକାଇଥିଲେ। ସନ୍ତୋଷଙ୍କୁ ହୋମ୍‌ଗାର୍ଡ଼ ଦଶହରା ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ। ସାମଲ ଟଙ୍କା ନ ଦେବାରୁ ହୋମଗାର୍ଡ ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ପକେଟରୁ ୪ହଜାର ୧ଶହ ଟଙ୍କା ଝାମ୍ପି ନେଇଥିବା ନେଇ ସମ୍ପୃକ୍ତ ବିଜେଡି ନେତା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏହି ଘଟଣାକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ରାଜନୀତି ସରଗରମ ହୋଇଉଠିଛି। ଭାଜପା ସିଧାସଳଖ ହୋମଗାର୍ଡ଼ଙ୍କୁ ସମର୍ଥନ ଜଣାଉଥିଲାବେଳେ ହୋମଗାର୍ଡଙ୍କ ବିରୋଧରେ ବିଜେଡି ନେତାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ପରିସ୍ଥିତିକୁ ଜଟିଳ କରିଛି। ଏ ସଂକ୍ରାନ୍ତରେ ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ପଚାରିବାରୁ, ସେ ଯଦି ଟଙ୍କା ଛଡ଼ାଇଥିଲେ ତେବେ ଏ ସମ୍ପର୍କରେ ବିଜେଡି ନେତା ଘଟଣା ଦିନ କାହିଁକି ଅଭିଯୋଗ କରି ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିଲେ ସେ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।