ହୋମ୍‌ କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ: ୩ ବିଦେଶ ଫେରନ୍ତାଙ୍କ ନାଁରେ ମାମଲା

କଟକ ଅଫିସ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ହୋମ୍‌ କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରି ବଜାରରେ ବୁଲୁଥିଲେ ଜଣେ ବିଦେଶ ଫେରନ୍ତା। ଏ ନେଇ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଏକ ମାମଲା(ନଂ.୬୫/୨୦) ରୁଜୁ କରିଛି। ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ଜଣକ କିଛିଦିନ ପୂର୍ବେ ଆମେରିକାରୁ ଫେରିଥିଲେ। ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌ରେ ନିଜ ନାମ ପଞ୍ଜୀକରଣ କରିବା ପରେ ତାଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସମ୍ପୃକ୍ତ ବ୍ୟକ୍ତି ବଜାରରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏ ବିଷୟରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଥିଲା। ପ୍ରାଥମିକ ତଦନ୍ତ ପରେ ତାଙ୍କୁ ବାରବାଟିସ୍ଥିତ ଆଇସୋଲେସନ୍‌ କେନ୍ଦ୍ରକୁ ପଠାଇ ଦିଆଯାଇଛି।
ସେହିପରି ବିଦେଶ ଫେରନ୍ତା ୨ନାଗରିକଙ୍କ ବେପରୁଆ ମନୋଭାବ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ ରହୁଥିବା ଦୁଇଜଣ ବ୍ୟକ୍ତି ନିଜ ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ହେଲେ ସେମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳିବା ପରେ ବିଏମ୍‌ସିରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହସ୍ତଗତ ହେବା ପରେ ଜୋନାଲ ସ୍କ୍ବାର୍ଡ ସେମାନଙ୍କୁ ଆମ୍ବୁଲାନ୍ସରେ ଘରୁ ଉଠାଇ ଆଣିଥିଲେ। କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ବିଏମ୍‌ସି ପକ୍ଷରୁ ଏତଲା ଦିଆଯାଇଛି। ଏ ନେଇ ଥାନାରେ ମାମଲା(ନଂ.୧୪୨/୨୦) ରୁଜୁ ହୋଇଛି।
ପୋଲିସ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏହି ଘଟଣାକୁ ନେଇ ନିଜ ଟୁଇଟ୍‌ରେ ଲେଖିଛନ୍ତି, ଯେଉଁମାନଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି, ଯଦି ସେମାନେ ଏହାକୁ ଉଲ୍ଲଂଘନ କରନ୍ତି, ସେମାନଙ୍କ ବିରୋଧରେ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯିବ।

Share