ହୋମ୍‌ କ୍ୱାରାଣ୍ଟାଇନ୍‌ ସହ ମହାପ୍ରଭୁଙ୍କ ଅଣସରକୁ ତୁଳନା କଲେ ବାଗ୍‌ଚୀ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଏବେ ଅନେକ ବିଦେଶ ଫେରନ୍ତାଙ୍କ ଚିନ୍ତା ବଢ଼ଛି। ଭାରତରେ ବିଭିନ୍ନ ସହରରେ ଦେଖାଯାଇଛି ଯେ, କ୍ୱାରାଣ୍ଟାଇନରେ ଥିବା ସନ୍ଦିଗ୍ଧ ଫେରାର୍‌ ହୋଇଯାଉଛନ୍ତି। ତେଣୁ କ୍ୱାରାଣ୍ଟାଇନରେ କିପରି ଭଲରେ ରହିବେ ଓ ଏହା କାହିଁକି ଜରୁରୀ ସେ ଦିଗରେ ବୁଧବାର କରୋନା ଭୂତାଣୁ ସଂକ୍ରମଣ ସଚେତନ କିମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ତେବେ ହୋମ୍‌ କ୍ୱାରାଣ୍ଟାଇନକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସହ ତୁଳନା କରି ବାଗ୍‌ଚୀ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ କିଛି ନୂଆ କଥା ନୁହେଁ। ଏହି ସଙ୍ଗରୋଧ ପଦ୍ଧତିକୁ ନେଇ କିଛି ଡରିବାର ନାହିଁ। ପ୍ରତି ବର୍ଷ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନିଜେ କାଳିଆ ଠାକୁର ରୁହନ୍ତି। କରୋନା ସଚେତନତା ପାଇଁ ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ମାହାତ୍ମ୍ୟକୁ ବଖାଣିଥିଲେ ବାଗ୍‌ଚୀ। ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥ ୧୪ ଦିନ ପର୍ଯ୍ୟନ୍ତ ଯେପରି ଅଣସରରେ ରହନ୍ତି, ଠିକ୍‌ ସେମିତି ବିଦେଶ ଫେରନ୍ତା ଲୋକ ସଙ୍ଗରୋଧ ବା ଅଣସରରେ ରହିବା ଦରକାର। ହାଡଫୁଟି ଭଲ ପାଇଁ ମଧ୍ୟ ୧୪ଦିନ ଲାଗିଥାଏ। ସେମିତି କରୋନା ପାଇଁ ବି ଆମେ ନିଜକୁ ୧୪ ଦିନ ଅଣସରରେ ରଖିବାକୁ ବାଗଚୀ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।

Share