ହୋମ୍‌ ଡେଲିଭରିରେ ବାଧା ସୃଷ୍ଟିକରୁଛି ପୋଲିସ: ଡେଲିଭରି ଏଜେଣ୍ଟକୁ ରାସ୍ତାରେ ଗୋଡ଼ାଇ ପିଟୁଛି

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ପରଠୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରିଲେ ପୋଲିସ ଭୟ ରହୁଥିବାରୁ ଲୋକେ ଅନ୍‌ଲାଇନ୍‌ରେ ମେଡିସିନ, ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଅର୍ଡର କରୁଛନ୍ତି। ଏଥିପାଇଁ ଅନୁମତି ରହିଥିଲେ ମଧ୍ୟ ଲୋକଙ୍କ ଘରକୁ ସାମ୍ରଗୀ ଡେଲିଭରି କରିବାକୁ ଯାଉଥିବାବେଳେ ଏଜେଣ୍ଟଙ୍କୁ ପୋଲିସ ଅଟକାଇ ପିଟୁଥିବା ଅଭିଯୋଗ ହେଉଛି। ପୋଲିସର ଦାଦାଗିରି ଯୋଗୁ ସହର ମଧ୍ୟରେ କୌଣସି ଇ-କମର୍ସ ପ୍ଲାଟଫର୍ମ କିମ୍ବା ଡିପାର୍ଟମେଣ୍ଟାଲ ଷ୍ଟୋର୍‌ ହୋମ୍‌ ଡେଲିଭରି ସେବା ବାଧାପ୍ରାପ୍ତ ହେଉଛି। ଫ୍ଲିପ୍‌କାର୍ଟ, ଆମାଜନ୍‌, ସ୍ବିଗି ଓ ଜୋମାଟୋ ଭଳି ବଡ଼ ବଡ଼ ଇ-କମର୍ସ ପ୍ଲାଟଫର୍ମକୁ ଛାଡିଦେଲେ ହୋମ୍‌ ଡେଲିଭରି କରୁଥିବା ଭୁବନେଶ୍ୱରରେ ଏକାଧିକ ଛୋଟବଡ଼ ସଂସ୍ଥା ରହିଛନ୍ତି। ପନିପରିବାରୁ ଆରମ୍ଭକରି ମାଛ, ମାଂସ ଓ ଗ୍ରସେରୀ ସାମଗ୍ରୀ ଡେଲିଭରଗି କରିବା ପାଇଁ ସହରରେ ବହୁ ଷ୍ଟାର୍ଟଅପ୍‌ ସଂସ୍ଥା ରହିଛି। ବର୍ତ୍ତମାନ ସଂସ୍ଥାଗୁଡ଼ିକର ଗୁରୁତ୍ୱ ସବୁଠାରୁ ଅଧିକ ରହିଥିଲେ ମଧ୍ୟ ପୋଲିସର ଦାଦାଗିରି ଯୋଗୁ ଏମାନେ ଲୋକଙ୍କ ନିକଟରେ ସେବା ପହଞ୍ଚାଇ ପାରୁନାହାନ୍ତି। ଭୁବନେଶ୍ୱରରେ ମାଛ, ମାଂସ ଆଦିର ହୋମ୍‌ ଡେଲିଭରି କରୁଥିବା ଷ୍ଟାର୍ଟଅପ୍‌ ‘ଇ-ମିଟ୍‌’ର ମୁଖ୍ୟ ସୌମ୍ୟରଞ୍ଜନ ଏନେଇ କହିଛନ୍ତି, ସରକାର ଅନୁମତି ଦେଉଛନ୍ତି, ହେଲେ ପୋଲିସ ଓଲଟା କରୁଛି। ଆମ ଡେଲିଭରି ଏଜେଣ୍ଟମାନଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟୁଛି। ପ୍ରଡକ୍ଟ ଛଡ଼ାଇ ଫିଙ୍ଗାଫୋପଡ଼ା କରିବା ସହ ଗାଡ଼ି ଛଡ଼ାଇ ରଖିଦେଉଛି। ସେହିଭଳି କଟକରେ ବିଗ୍‌ବଜାର ଓ ରିଲିଆନ୍ସ ଫ୍ରେସ୍‌କୁ ହୋମ୍‌ ଡେଲିଭରି ପାଇଁ ଅନୁମତି ମିଳିଥିବାବେଳେ ପୋଲିସ ପାଇଁ ଠିକ୍‌ ଭାବେ ଲୋକଙ୍କ ନିକଟରେ ସେବା ପହଞ୍ଚତ୍ପାରୁନି।

Share