ହୋମ କ୍ୱାରାଣ୍ଟାଇନରେ ଥିବା ଯୁବକଙ୍କ ଆତ୍ମହତ୍ୟା:୧୦ ଗ୍ରାମବାସୀ ଅଟକ

ଧର୍ମଶାଳା,୧୪ା୪(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଥାନା ଦେଉଦା ଗ୍ରାମର ସୁରେଶ ସାହୁ (୩୨) ନାମକ ଜଣେ ଯୁବକ ହୋମ କ୍ୱାରାଣ୍ଟାଇନରେ ଥିବାବେଳେ ସୋମବାର ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପାଇଁ ମୃତକଙ୍କ ସ୍ତ୍ରୀ ରଞ୍ଜନା ସାହୁ ଗ୍ରାମବାସୀଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୬୧/୨୦) ରୁଜୁ କରି ୧୦ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ଯେ, ସୁରେଶ ଚେନ୍ନାଇର ଏକ ହୋଟେଲରେ କାମ କରୁଥିଲେ। କରୋନା ଯୋଗୁ ସେ ମାର୍ଚ୍ଚ ୧୮ରେ ଘରକୁ ଫେରିଥିଲେ। ଏହାପରେ ତାଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଗ୍ରାମବାସୀ ତାଙ୍କୁ ଏ ନେଇ ବିଭିନ୍ନ ଟାହିଟାପରା କରୁଥିବାରୁ ସେ ରବିବାର ରାତିରେ ଘର ନିକଟ ବାଡ଼ିରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ସକାଳେ ଉକ୍ତ ଗଛରୁ ତାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍ଥାନୀୟ ସରପଞ୍ଚ ସୌଭାଗ୍ୟ ଲକ୍ଷ୍ମୀ ମହାନ୍ତି ଘଟଣାର ପ୍ରକୃତ ତଦନ୍ତ କରାଯାଇ ଉକ୍ତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Share