ହୋଲିରେ ଆଖିର ସୁରକ୍ଷା

ରଙ୍ଗର ଉତ୍ସବ ହୋଲିରେ ଭଳିକିଭଳି ରଙ୍ଗ ଖେଳର ମଜା ନେବାକୁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି ରହିଥାଏ। ହେଲେ କେବେକେବେ ଏହି ରଙ୍ଗ ଖେଳ ପରବର୍ତ୍ତୀ ସମୟରେ ଶରୀର ପାଇଁ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ। କାରଣ କେତେକ ରଙ୍ଗରେ ଥିବା କେମିକାଲ ଶରୀର ପାଇଁ ହାନିକାରକ। ବିଶେଷକରି ଚକ୍ଷୁ ଭଳି ସମ୍ବେଦନଶୀଳ ଅଙ୍ଗରେ ଏଭଳି କ୍ଷତିକାରକ କେମିକାଲ ରଙ୍ଗ ପଡ଼ିଲେ, ସଂକ୍ରମଣ ହେବା ସହ ଚକ୍ଷୁ ନଷ୍ଟ ହୋଇ ଅନ୍ଧ ହୋଇଯିବାର ମଧ୍ୟ ଆଶଙ୍କା ଥାଏ ।

– ସାଧାରଣତଃ ହୋଲି ରଙ୍ଗରେ ଅନେକ କେମିକାଲ ମିଶିଥାଏ। ସେଗୁଡ଼ିକ ହେଲା ମାଲାକାଇଟ୍‌ ଗ୍ରୀନ୍‌, ରୋଢ଼ାମିନ୍‌, ଜେନ୍‌ସିଆନ୍‌ ଭାଓଲେଟ୍‌, ଲେଡ୍‌ ଅକ୍ସାଇଡ୍‌ (କଳାରଙ୍ଗ), କପର ସଲ୍‌ଫେଟ୍‌ (ଶାଗୁଆ ରଙ୍ଗ), ଆଲୁମିନିୟମ୍‌ (ସିଲଭର ରଙ୍ଗ) ମର୍କ୍ୟୁରି ସଲ୍‌ଫେଟ୍‌ (ଲାଲ ରଙ୍ଗ) ଆଦି। ଏହା ଆଖିରେ ପଡ଼ିଲେ, ଆଖି ଲାଲ ହେବା ସହ କୁଣ୍ଡାଇ ହୁଏ, ଲୁହ ବହିଥାଏ ଏବଂ ଝାପ୍‌ସା ଦେଖାଯାଏ ।

– ବେଳେବେଳେ ଏଭଳି ରଙ୍ଗ ସଂସ୍ପର୍ଶରେ ଆସିବା ଦ୍ୱାରା ଆଖିରେ କେମିକାଲ ଇଞ୍ଜୁରି ହୋଇଥାଏ। ଫଳରେ ଆଖିରେ ଆଲର୍ଜି ହୋଇ କୁଣ୍ଡେଇ ହୁଏ। ଘା’ ହେବା ସହ ଲେଞ୍ଜରା ବୋହିଥାଏ। ଖରାକୁ ଅନାଇଲେ କଷ୍ଟ ହୁଏ ଏବଂ ଆଖି ଫୁଲିଯାଏ।

– ହୋଲି ରଙ୍ଗରୁ ଆଖିକୁ ରକ୍ଷା କରିବାକୁ ହେଲେ ମୁହଁରେ ମାସ୍କ ପିନ୍ଧିବା ସହ ଚଷମା ପିନ୍ଧିବା ଆବଶ୍ୟକ। ମୁଣ୍ଡରେ ମଧ୍ୟ ଏଭଳି କେମିକାଲ ରଙ୍ଗ ବୋଳିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସ୍କିନ୍‌ ଆଲର୍ଜି ହୋଇ କେଶ ଝଡ଼ିଥାଏ ଏବଂ ଏହି ରଙ୍ଗ କେବେକେବେ ମୁଣ୍ଡରୁ ଆଖିକୁ ବୋହି ଆସେ ଏବଂ ବେଶ୍‌ କ୍ଷତି ପହଞ୍ଚାଇଥାଏ।

– ମାସ୍କ, ଗ୍ଲାସ୍‌ ଆଦି ବ୍ୟବହାର କରିବା ପରେ ମଧ୍ୟ ଯଦି ଆଖିରେ ରଙ୍ଗ ଲାଗି ଯନ୍ତ୍ରଣା ହୁଏ, ତେବେ ସର୍ବପ୍ରଥମେ ବିଶୁଦ୍ଧ ପାଣିରେ ଆଖିକୁ ଭଲଭାବେ ଧୋଇ ଦିଅନ୍ତୁ। ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଆଖିରେ ଡ୍ରପ୍‌ ପକାନ୍ତୁ।

– ମନେରଖନ୍ତୁ ହୋଲି ଖେଳିବାକୁ ଚାହୁଁଥିଲେ ପ୍ରାକୃତିକ ରଙ୍ଗ, ଅର୍ଗାନିକ୍‌ ଅବିର, ଫଗୁ ଆଦି ବ୍ୟବହାର କରନ୍ତୁ। ରଙ୍ଗ ଖେଳିବା ପୂର୍ବରୁ ଦେହ, ହାତ, ମୁହଁ ଚାରିଆଡ଼େ ଭଲଭାବେ ତେଲ ଲଗାଇ ଦିଅନ୍ତୁ। ଯଦି ଆପଣ କଂଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି, ତେବେ ରଙ୍ଗ ଖେଳିବା ବେଳେ ଏହାକୁ କାଢ଼ି ରଖିଦିଅନ୍ତୁ।

– ଡା. ସୋନାଲି ଷଡ଼ଙ୍ଗୀ
ଚକ୍ଷୁରୋଗ ବିଶେଷଜ୍ଞ
ମୋ- ୭୯୭୮୯୪୫୫୫୨