ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି, ପାର୍କିଂ ଫିକୁ ବିରୋଧ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଏମ୍‌ସି ହୋଲ୍ଡିଂ ଟିକସ ବୃଦ୍ଧି ଓ ବେଆଇନ ପାର୍କିଂ ଫି ଆଦାୟକୁ ତୀବ୍ର ବିରୋଧ କରିଛି ସମାଜବାଦୀ ପାର୍ଟି, ସିପିଏମ୍‌, ଫର୍‌ଓ୍ବାର୍ଡ଼ ବ୍ଲକ୍‌ ଓ ସିପିଆଇ(ଏମଏଲ)। ଶୁକ୍ରବାର ଏହି ୪ ଦଳ ମିଳିତ ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟ ଘେରାଉ କରିବା ସହ ଏହା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ପ୍ରତିବାଦ ଜଣାଇଛି। ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ବିଏମ୍‌ସି ତୁରନ୍ତ ପ୍ରତ୍ୟାହାର କରୁ ଓ ବେଆଇନ ପାର୍କିଂ ଫି ଆଦାୟର ତଦନ୍ତ କ୍ରାଇମବ୍ରାଞ୍ଚ କରୁ ବୋଲି ଦାବିକରି ଧାରଣା ଦିଆଯାଇଥିଲା। ବିଏମ୍‌ସି ଅତିରିକ୍ତ କମିଶନର ଧାରଣା ସ୍ଥଳରେ ପହଞ୍ଚତ୍ବା ପରେ ତାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ରାଜଧାନୀବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚିତ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବା ସହ ବେଆଇନ ପାର୍କିଂ ଫି ଆଦାୟ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ପ୍ରତିବାଦ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ସିପିଏମ୍‌ର ସୁରେଶ ପାଣିଗ୍ରାହୀ, ଫର୍‌ଓ୍ବାର୍ଡ଼ ବ୍ଲକ୍‌ର ଜ୍ୟୋତି ରଞ୍ଜନ ମହାପାତ୍ର ଓ ସିପିଆଇ(ଏମଏଲ)ର ମହେନ୍ଦ୍ର ପରିଡା ପ୍ରମୁଖ ସାମିଲ ହୋଇଥିଲେ।

Share