ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସାଧାରଣ ଲୋକଙ୍କ ଭଳି ଏଣିକି କିନ୍ନରମାନେ ମଧ୍ୟ ଉଚ୍ଛେଦରେ ସାମିଲ ହେବା ସହ ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନ୍ସ ଆଦାୟ କରିବେ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ବୁଧବାର ଟିଜି ସ୍ବୀକୃତି ଏସ୍‌ଏଚ୍‌ଜିର ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ବିଏମ୍‌ସି ରାଜସ୍ବ ବିଭାଗ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସହ ଟିଜି ସ୍ବୀକୃତି ଏସ୍‌ଏଚ୍‌ଜିର ସଭାନେତ୍ରୀ ମେଘନା ସାହୁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ପ୍ରଥମତଃ ଗୋଟିଏ ବର୍ଷ ପାଇଁ କରାଯାଇଥିବାବେଳେ ସବୁ ମାସର ପଞ୍ଚମ ଦିନରେ ବିଏମ୍‌ସି ପକ୍ଷରୁ ମାସିକିଆ ରିପୋର୍ଟ କାର୍ଡ ପ୍ରଦାନ କରାଯିବ। ଏହାସହ ଗାଡ଼ି, ତେଲ, ଆଇଡେଣ୍ଟି କାର୍ଡ ମଧ୍ୟ ଦିଆଯିବ। ଏହାବ୍ୟତୀତ ପ୍ରତି ୪୦ ଲକ୍ଷରେ ୧% ଓ ୬୦ ଲକ୍ଷ ଆଦାୟରେ ୧.୫% କିନ୍ନରମାନେ ପାଇବାର ଯୋଜନା ରହିଛି। ଏହି ସବୁ କାର୍ଯ୍ୟର ଦାୟିତ୍ୱ ବହନ କରିବେ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର। ସୁଚନାଥାଉ କି, ବିଏମ୍‌ସିରେ ଏବେ ହୋଲ୍ଡିଂ ଟ୍ୟାକ୍ସ କଲେକ୍ଟର କମ୍‌ ଥିବାବେଳେ ନିଗମ ପକ୍ଷରୁ ବିଭିନ୍ନ ଏସ୍‌ଏଚ୍‌ଜିଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ନିଯୁକ୍ତ କରାଯାଉଛି। ଏବେ ପ୍ରଥମ କରି କିନ୍ନରମାନଙ୍କ ଏସ୍‌ଏଚ୍‌ଜି ସହ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବାବେଳେ ଆଗକୁ ଅନ୍ୟ ଏସ୍‌ଏଚ୍‌ଜି ସହ ମଧ୍ୟ ଏଭଳି ବୁଝାମଣାପତ୍ର ସ୍ବାକ୍ଷରିତ ହେବ ବୋଲି ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି।

Share