ହ୍ବାଟ୍ସଆପ୍‌ରେ ବରିଷ୍ଠଙ୍କ କଥା ବୁଝିବେ ପୋଲିସ

ଭୁବନେଶ୍ୱର,୧୨।୪ (ବ୍ୟୁରୋ): କମିଶନରେଟ ପୋଲିସକୁ ଏବେ ଘାରିଛି ବରିଷ୍ଠ ନାଗରିକଙ୍କ ଚିନ୍ତା। କାରଣ ଏମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହୁଛି। ଯଦିଓ ଓଡ଼ିଶାରେ ଏପରି ସ୍ଥିତିର ନଜିର ନାହିଁ, ତଥାପି ସମ୍ଭାବନାକୁ ଦୃଷ୍ଟିରେ ରଖି ତତ୍ପରତା ପ୍ରକାଶ କରିଛି ପୋଲିସ। ସେମାନେ ଯେପରି ଘରୁ ନ ବାହାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ଆବଶ୍ୟକ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦେବା ସହ ସମସ୍ୟା ବୁଝିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ। ଏନେଇ ଶନିବାର ଷଡ଼ଙ୍ଗୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, ଡିସିପି ଅନୁପ ସାହୁ, ଟ୍ରାପିକ ଡିସିପି ସାଗରିକା ନାଥ, ଡିସିପି (ସିକ୍ୟୁରିଟି)ନିର୍ମଳ ଶତପଥୀ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ଏନେଇ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ ଖୋଲିବାକୁ ସବୁ ଥାନାର ନୋଡାଲ ଅଫିସରଙ୍କୁ କୁହାଯାଇଛି। ଉକ୍ତ ଗ୍ରୁପ୍‌ରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକଙ୍କୁ ଯୋଡ଼ିବା ସହ ନୋଡାଲ ଅଫିସରମାନେ ନିୟମିତ ସେମାନଙ୍କ ସମ୍ପର୍କରେ ରହିବେ। ବରିଷ୍ଠ ନାଗରିକମାନେ ଯାହା ଆବଶ୍ୟକ କରୁଥିଲେ ଉକ୍ତ ଗ୍ରୁପ୍‌ରେ ମେସେଜ୍‌ କରି ଜଣାଇବେ। ଏହାପରେ ନୋଡାଲ ଅଫିସର ଜଣକ ଥାନାରୁ ଜଣେ ପୋଲିସ କର୍ମଚାରୀ ପଠାଇ ଉକ୍ତ ବରିଷ୍ଠ ନାଗରିକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ସହ ସମସ୍ୟାର ସମାଧାନ କରିବେ।

Share