Categories: ମେଟ୍ରୋ

ହ୍ବାଟ୍ସଆପ୍‌ରେ ବିଏମ୍‌ସି କମିଶନରଙ୍କ ନାମରେ ଗୁଜବ ପ୍ରଚାର

ଭୁବନେଶ୍ୱର,୨୦ା୩(ବ୍ୟୁରୋ): କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତାଗ୍ରସ୍ତ। ରାଜ୍ୟ ସରକାର କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଅନେକ ପଦକ୍ଷେପ ନେଇଛନ୍ତି। ଏହି ଭୟ ବାତାବରଣର ଫାଇଦା ଉଠାଇ କିଛି ମନ୍ଦ ଉଦ୍ଦେଶ୍ୟର ବ୍ୟକ୍ତି ବିଏମସି କମିଶନରଙ୍କ ନାମରେ ଗୁଜବ ତଥା ମିଥ୍ୟା ମେସେଜ ହ୍ବାଟ୍ସଆପରେ ଛାଡ଼ିଛନ୍ତି। ଫଳରେ ଏବେ ହ୍ବାଟ୍ସଆପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନାମରେ ମିଥ୍ୟା ମେସେଜ୍‌ ଘୂରି ବୁଲୁଛି।
ଏହି ମେସେଜ ଅନୁଯାୟୀ, ବିଏମସି କମିଶନର ସମଗ୍ର ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କରିଛନ୍ତି, ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ କେହି ଘରୁ ବାହାରିବେ ନାହିଁ। ଏହି ସମୟରେ କରୋନା ପାଇଁ ଔଷଧ ସିଞ୍ଚନ କରାଯିବ। ତେଣୁ ସମସ୍ତ ଭୁବନେଶ୍ୱରବାସୀ ଘର ଭିତରେ ରହିବେ।
ଏହି ମେସେଜକୁ ବିଏମସି କମିଶନର ଚୌଧାରୀ ସମ୍ପୂର୍ଣ୍ଣରୂପେ ଖଣ୍ଡନ କରିବା ସହ ସେ ଏପରି କୌଣସି ମେସେଜ ଦେଇନାହାନ୍ତି ବୋଲି କହିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଏହିଭଳି ବିଭ୍ରାନ୍ତିକର ମେସେଜକୁ ବିଶ୍ୱାସ ନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଏହି ଫେକ ମେସେଜ ନେଇ ତଦନ୍ତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି।

Share