ହ୍ରାସ ପାଉଛି କେନ୍ଦୁପତ୍ର ଉତ୍ପାଦନ

କଣିହାଁ,୪।୩(ଡି.ଏନ.ଏ.) – ଫେବୃୟାରୀ ଯାଇ ମାର୍ଚ୍ଚ ହେଲାଣି। ହେଲେ ଏଯାଏ ତାଳଚେର ଉପଖଣ୍ଡରେ ଆରମ୍ଭ ହୋଇନି କେନ୍ଦୁପତ୍ର ଉତ୍ପାଦନ। ଗତବର୍ଷ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନ ଥିବା ବେଳେ ଚଳିତବର୍ଷ ଗୋଛା କଟେଇରେ ଏପରି ବିଳମ୍ବ ଉତ୍ପାଦନ ହ୍ରାସ ଆଶଙ୍କାକୁ ପୁନଃ ଉଜ୍ଜୀବିତ କରିଛି। ସେହିପରି ଗୋଛା କଟା ଆରମ୍ଭ ହେଉ ନ ଥିବାରୁ ତୋଳାଳିମାନଙ୍କ ହାତକୁ ଦୁଇପଇସା ଆସିପାରୁ ନାହିଁ। ଏ ନେଇ କେନ୍ଦୁପତ୍ର ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳର ବହୁ ଖଟିଖିଆ କେନ୍ଦୁପତ୍ର ଉତ୍ପାଦନ ଉପରେ ନିର୍ଭରଶୀଳ। କିନ୍ତୁ ବିଭାଗୀୟ ଅବହେଳାକୁ ଯୋଗୁ ଗ୍ରାମାଞ୍ଚଳରୁ ପତ୍ରଫଡ଼ି ଦିନକୁ ଦିନ ହ୍ରାସ ପାଉଥିବାବେଳେ ଦୀର୍ଘ ୭ ବର୍ଷ ହେବ କଣିହାଁ ମହକୁମାରୁ ରେଞ୍ଜ କାର୍ଯ୍ୟାଳୟ ଉଠିଯାଇଛି। ବର୍ତ୍ତମାନ ବଜ୍ରକୋଟ ଓ ଶିପୁର ରେଞ୍ଜ କାର୍ଯ୍ୟାଳୟ ଅଧୀନରେ କାମ ଚାଲିଥିବାବେଳେ ତାଳଚେର ଉପଖଣ୍ଡରେ ଏସିଏଫ କାର୍ଯ୍ୟାଳୟ ରହିଛି। ତେବେ ଚଳିତବର୍ଷ ଉତ୍ପାଦନ ସମୟ ଗଡ଼ି ଯାଉଥିଲେ ମଧ୍ୟ ଗୋଛା କଟା ଆରମ୍ଭ ହୋଇ ନ ଥିବାରୁ ତୋଳାଳି ଶ୍ରମିକ ପାର୍ବତୀ ବାଘ, ରୀନା ମେହେର, ଜାନକୀ ବେହେରା, ପହଲି ସାହୁ, ମାଳତୀ ନାଏକ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ପ୍ରତ୍ୟେକ ବର୍ଷ କେନ୍ଦୁପତ୍ର ଉତ୍ପାଦନ ପାଇଁ ଫେବୃୟାରୀ ମାସରୁ ଗୋଛାକଟେଇ କରାଯାଇଥାଏ। ଚଳିତବର୍ଷ ଏଥିରେ ବହୁ ବିଳମ୍ବ କରାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଉତ୍ପାଦନ କାର୍ଯ୍ୟ ଆରମ୍ଭ କରୁନାହାନ୍ତି ତାହା ବୁଝାପଡ଼ୁ ନାହିଁ। ପ୍ରତିବର୍ଷ କେନ୍ଦୁପତ୍ର ତୋଳି ଫଡିରେ ବିକ୍ରି କରି ଆମେ ସ୍ବାବଲମ୍ବୀ ହେଉ। ହେଲେ ଏଯାଏ ଆମ ହାତକୁ କିଛି ବି ଅର୍ଥ ଆସିପାରି ନାହିଁ। ତୁରନ୍ତ ଗୋଛାକଟା ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। କେତେଜଣ ସିଜିନାଲ କର୍ମଚାରୀ କହିଛନ୍ତି, କଣିହାଁ ବ୍ଲକର ବହୁ ପତ୍ରଫଡି ତାଳଚେର ରେଞ୍ଜରେ ସାମିଲ ହୋଇଛି। ଏବେ ତାଳଚେର ରେଞ୍ଜ କାର୍ଯ୍ୟାଳୟକୁ ମଧ୍ୟ ହଟାଇବାକୁ କିଛି ଅସାଧୁ ଅଧିକାରୀ ମସୁଧା କରୁଛନ୍ତି। ଫେବୃୟାରୀ ମାସରେ ବିଭିନ୍ନ ଫରେଷ୍ଟ ସେକ୍ସନରେ ଗୋଛା କଟା ପାଇଁ ପୂଜା ହୋଇଥିଲା। ତେବେ ଏଯାଏ କାହିଁକି ଉତ୍ପାଦନ କରାଯାଇ ନାହିଁ ତାହା କର୍ତ୍ତୃପକ୍ଷ ଦର୍ଶାଇନାହାନ୍ତି। ଗତବର୍ଷ କେନ୍ଦୁପତ୍ର ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ନ ଥିବା ବେଳେ ଚଳିତବର୍ଷ ମଧ୍ୟ ସେପରି ସମ୍ଭାବନାକୁ ଏଡ଼ାଇ ଦେଇହେଉନାହିଁ। ଏ ନେଇ ତାଳଚେର ଉପଖଣ୍ଡ କେନ୍ଦୁପତ୍ର ବିଭାଗ ଏସିଏଫ ପ୍ରକାଶ ଦାସ କହିଛନ୍ତି, ଉତ୍ପାଦନ ହ୍ରାସ ପାଇଛି। ପ୍ରତିକୂଳ ପାଣିପାଗ ସହିତ ଅନ୍ୟାନ୍ୟ କାରଣ ଯୋଗୁ ଏପରି ହେଉଛି। ତଥାପି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଚେଷ୍ଟା ଜାରି ରହିଛି। ଗୋଛା କଟେଇରେ ବିଳମ୍ବ ହୋଇଛି। ମାର୍ଚ୍ଚ ୪ରୁ ଏହା ଆରମ୍ଭ ହେବ ବୋଲି ଆଲୋଚନା କରାଯାଇଥିବା ଏସିଏଫ୍‌ ପ୍ରକାଶ କରିଛନ୍ତି।

Share