ହ୍ରିତିକ୍‌-ଅମିତାଭ ପାଲଟିଲେ ଟିକ୍‌ଟକ୍‌ ଷ୍ଟାର ଯୁବରାଜଙ୍କ ଫ୍ୟାନ୍‌

ବମ୍ବେ: ସୋସିଆଲ ମିଡିଆରେ ନିଜର କଳା ପ୍ରଦର୍ଶନ କରି ଅନେକେ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସେପରି ଏକ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ନିଜର ଏକ ଭିଡିଓ ଶେୟାର କରି ଏବେ ଚର୍ଚ୍ଚାରେ ରାଜସ୍ଥାନ ଯୋଧପୁରର ଜଣେ ଯୁବକ ଚର୍ଚ୍ଚାକୁ ଆସିଛନ୍ତି। ବିଗ୍‌ ବି ଅମିତାଭଙ୍କଠାରୁ ଆରମ୍ଭ କରି ଅଭିନେତା ହ୍ରିତିକ୍‌ ରୋଶନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ।

ଯୁବକ ଜଣକ ହେଲେ ଯୋଧପୁରରେ ରହୁଥିବା ଯୁବରାଜ ସିଂ। ତାଙ୍କ ବାପା ଜଣେ ଶ୍ରମିକ। ପିଲାବେଳୁ ତାଙ୍କର ବକ୍ସିଂ ପ୍ରତି ଦୁର୍ବଳତା ରହିଥିଲା। ହେଲେ ଗରିବ ପରିବାରର ହୋଇଥିବାରୁ ସେ ନିଜ ଇଚ୍ଛାକୁ ଚାପିଦେବାକୁ ବାଧ୍ୟ ହୋଇଥିଲେ। ମା’ବାପା ମୋତେ ଇଞ୍ଜିନିୟର ହେବାକୁ ଇଚ୍ଛା ରଖିଥିଲେ। ହେଲେ ପାଞ୍ଚ ମାସ ତଳେ ଫିଲ୍ମ ‘ମୁନ୍ନା ମାଇକେଲ୍‌’ ଦେଖିବା ପରେ ନୃତ୍ୟ ପ୍ରତି ସେ ଆକର୍ଷିତ ହୋଇଥିଲେ। ନିଜ ଘରର ଛାତ ଅଥବା ନିଜ କୋଠରିରେ ସେ ନାଚିବା ଅଭ୍ୟାସ କରିଥିଲେ। ଏହା ଭଲ ହେବା ପରେ ସେ ଉକ୍ତ ଭିଡିଓକୁ ଟିକ୍‌ଟକ୍‌ ଶେୟାର କରି ଆସୁଛନ୍ତି। ବିଶେଷକରି ସେ ମାଇକେଲ ଜ୍ୟାକ୍‌ସନ ଓ ଟାଇଗର ଶ୍ରଫ୍‌ଙ୍କୁ ଫଲୋ କରନ୍ତି। ପ୍ରଭୁ ଦେବା ମଧ୍ୟ ତାଙ୍କ ପ୍ରେରଣା ବୋଲି ସେ କୁହନ୍ତି।

ନିକଟରେ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସରର ଗୀତ ‘ମୁକ୍କାଲା ମୁକାବିଲା..ଲୈଲା..’ ରିଲିଜ୍‌ ହେବା ପରେ ସେ ଏହାକୁ ନେଇ ନିଜର ଏକ ଭିଡିଓ କରିଥିଲେ। ଏହା ଭାଇରାଲ ହେଉଛି। ହ୍ରିତିକ୍‌, ଅମିତାଭ ପ୍ରମୁଖ ଅଭିନେତା ନିଜର ଟୁଇଟରରେ ତାଙ୍କର ଭିଡିଓକୁ ଶେୟାର କରିଛନ୍ତି। ଯୁବକ ଜଣକ କିଏ ବୋଲି ହ୍ରିତିକ୍‌ ପ୍ରଶ୍ନ କରିଥିବା ବେଳେ ଅମିତାଭ ଅବିଶ୍ୱସନୀୟ ବୋଲି କହିଛନ୍ତି। ଅପରପକ୍ଷେ ଏତେ ବଡ଼ ସୁପରଷ୍ଟାରଙ୍କ ପ୍ରଶଂସା ପାଇ ବେଶ୍‌ ଖୁସି ଅଛନ୍ତି ଯୁବରାଜ। ତାଙ୍କୁ ସବୁ ସ୍ବପ୍ନ ପରି ମନେ ହେଉଥିବା ସେ କହିଛନ୍ତି।

Share