Categories: ଖେଳ

ହ୍ୟାଟ୍ରିକ ମ୍ୟାନ୍‌

ଦୀପକ ଚହର ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ହିସାବରେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ଅବଶ୍ୟ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏଥିସହିତ ଭାରତୀୟ ବୋଲରମାନେ ସବୁ ୩ଟି ଯାକ ଫର୍ମାଟରେ ହ୍ୟାଟ୍ରିକ ନେବାରେ ସଫଳ ହୋଇଛନ୍ତି।

ପକ ଚହର ଭାରତର ନୂଆ ହ୍ୟାଟ୍ରିକ୍‌ ମ୍ୟାନ ରୂପେ ଉଭା ହୋଇଛନ୍ତି। ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମିତ ମିଡିୟମ ପେସର ଚହର ଲୋୟାର ଅର୍ଡରରେ ଭଲ ବ୍ୟାଟିଂ ମଧ୍ୟ କରିପାରନ୍ତି। ଗତ ରବିବାର ନାଗପୁରରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ସେ ହ୍ୟାଟ୍ରିକ ଅର୍ଜନ କରି ଇତିହାସ ସୃଷ୍ଟି କରିଥିଲେ। ସେ ଏଥି ସହିତ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିବାର ଗୌରବ ଅର୍ଜନ କରିଛନ୍ତି। କେବଳ ସେତିକ ନୁହେଁ ମାତ୍ର ୭ ରନ ଦେଇ ସେ ୬ ଉଇକେଟ ହାସଲ କରି ଟି୨୦ରେ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ଏହି କ୍ରମରେ ସେ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ୍‌ଙ୍କୁ ପଛରେ ପକାଇଛନ୍ତି। ଚହରଙ୍କ ଏହି ସଫଳତା ଭାରତ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଏଥି ସହିତ ଭାରତୀୟମାନେ ୩ଟି ଫର୍ମାଟ୍‌ରେ ହ୍ୟାଟ୍ରିକ ନେବାରେ ସଫଳ ହୋଇଛନ୍ତି। ପୂର୍ବରୁ ଟେଷ୍ଟରେ ସ୍ପିନର ହରଭଜନ ସିଂ, ଇର୍ଫାନ ପଠାନ ଓ ଯଶପ୍ରିତ୍‌ ବୁମ୍‌ରା ହ୍ୟାଟ୍ରିକ ନେଇଥିଲେ। ସେହିପରି ଦିନିକିଆରେ ଚେତନ ଶର୍ମା, କପିଲ ଦେବ, କୁଲଦୀପ ଯାଦବ ଓ ମହମ୍ମଦ ସାମି ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଏବେ ଟି୨୦ରେ ଦୀପକ ଏହି ସଫଳତା ଦୋହରାଇଛନ୍ତି। ତେବେ ଦୀପକଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ପ୍ରଥମ ଭାରତୀୟ ଭାବେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।
ଗତ ମଙ୍ଗଳବାର ଦୀପକ ସୟଦ ମୁସ୍ତାକ ଅଲି ଟ୍ରଫିର ଏକ ମ୍ୟାଚ୍‌ରେ ରାଜସ୍ଥାନ ତରଫରୁ ପ୍ରତିନିଧିତ୍ୱ କରି ବିଦର୍ଭ ବିପକ୍ଷରେ ପାଖାପାଖି ଆଉ ଏକ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ମାତ୍ର ୩ ଦିନରେ ସେ ଦୁଇଟି ହ୍ୟାଟ୍ରିକ ଅର୍ଜନ କରିଛନ୍ତି କହିଲେ ଭୁଲ ହେବ ନାହିଁ। ସେ ୩ଟି ଲିଗାଲ ବଲ୍‌ରେ ୩ ଉଇକେଟ ହାସଲ କରିଥିଲେ। ତେବେ ଏହି ୩ଟି ବଲ୍‌ ମଧ୍ୟରେ ଗୋଟିଏ ଓ୍ବାଇଡ୍‌ ବଲ୍‌ ମଧ୍ୟ ପକାଇଥିଲେ। ଅବଶ୍ୟ ଦୀପକଙ୍କ ଏହି ଦମ୍‌ଦାର ପ୍ରଦର୍ଶନ ରାଜସ୍ଥାନକୁ ପରାଜୟରୁ ରକ୍ଷା କରିପାରି ନ ଥିଲା। ଟି୨୦ରେ ଦୀପକଙ୍କ ଆବର୍ଭାବ ଭାରତ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି। ଆଉ ପାଖାପାଖି ବର୍ଷେ ପରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଫଳରେ ଭାରତୀୟ ଦଳ ପାଇଁ ଦୀପକ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ। ଘରୋଇ କ୍ରିକେଟରେ ବେଶ୍‌ ସଫଳ ହୋଇଥିବା ଦୀପକଙ୍କର ଅନ୍ତର୍ଜାତୀୟ ଅଭିଜ୍ଞତା ସେତେ ନାହିଁ। ଏପର୍ଯ୍ୟନ୍ତ ସେ ଗୋଟିଏ ଦିନିକିଆ, ୭ଟି ଟି୨୦ ଓ ୩୪ଟି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ ଖେଳିଛନ୍ତି। ୨୭ ବର୍ଷୀୟ ଦୀପକଙ୍କୁ ଏବେ ଫିଟ୍‌ନେସ ଓ ଫର୍ମ ବଜାୟ ରଖିବା ଉପରେ ଧ୍ୟାନ ଦେବାକୁ ହେବ।

Share