Categories: ଖେଳ

ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶ୍‌ବୀ

କାଡପା (ଆନ୍ଧ୍ର ପ୍ରଦେଶ),୨୬ା୨-ସ୍ଥାନୀୟ କେଏସ୍‌ଆର୍‌ଏମ୍‌ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ଅରୁଣାଚଳ ପ୍ରଦେଶ ବିପକ୍ଷ ୧୯ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ ଟ୍ରଫିର ଏକ ମ୍ୟାଚରେ ଚଣ୍ଡିଗଡ ଅଧିନାୟିକା କାଶ୍‌ବୀ ଗୌତମ ବିପକ୍ଷ ଦଳର ସମସ୍ତ ୧୦ଉଇକେଟ ଅକ୍ତିଆର କରି ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି। ଅରୁଣାଚଳ ପ୍ରଦେଶର ତୃତୀୟ ଓଭରରେ ଏକ ହ୍ୟାଟ୍ରିକ ସହ ତାଙ୍କ ୪.୫ ଓଭର ବୋଲିଂରେ ୧୨ରନ ବିନିମୟରେ ୧୦ଉଇକେଟ ଅକ୍ତିଆର କରିଛନ୍ତି। ଏକ ସୀମିତ ଓଭର ବିଶିଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିବାରେ ସେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି। ଅରୁଣାଚଳକୁ ୨୫ ରନରେ ଅଲଆଉଟ କରିବା ଲାଗି ଗୌତମ ମାତ୍ର ୨୯ଟି ବଲ୍‌ ନେଇଥିଲେ। ୫୦ ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡିଗଡ ୪ ଉଇକେଟ ବିନିମୟରେ ୧୮୬ ରନ କରିଥିଲା। ଦଳ ପକ୍ଷରୁ ଗୌତମ ଟପ୍‌ ସ୍କୋରର ଥିଲେ ସେ ୪୯ ବଲ୍‌ରେ ୬୮ରନ କରିଥିଲେ। ସୂଚନା ଯୋଗ୍ୟ ପୂର୍ବରୁ ଗୋଟିଏ ଇନିଂସରେ ୧୦ଉଇକେଟ ଅକ୍ତିଆର କରିଥିବା ସମସ୍ତ ବୋଲର ରେଡ୍‌ ବଲ୍‌ କ୍ରିକେଟରେ କୀର୍ତ୍ତିମାନ ଅର୍ଜନ କରିଥିଲେ। ସେମାନେ ହେଲେ ଅନୀଲ କୁମ୍ବଲେ (୧୯୯୯ରେ ନୂଆଦିଲ୍ଲୀଠାରେ ପାକିସ୍ତାନ ବିପକ୍ଷ ମ୍ୟାଚରେ), ଦେବାଶିଷ ମହାନ୍ତି (୨୦୦୧ରେ ଅଗରତାଲାରେ ଦକ୍ଷିଣାଞ୍ଚଳ ବନାମ ପୂର୍ବାଞ୍ଚଳ ମ୍ୟାଚରେ) ଏବଂ ରେକ୍ସ ସିଂ (୨୦୧୯ରେ ମଣିପୁର ବନାମ ମିଜୋରାମ ରଣଜୀ ମ୍ୟାଚ)। କିନ୍ତୁ ସୀମିତ ଓଭର କ୍ରିକେଟରେ କାଶ୍‌ବୀ ପ୍ରଥମ ଭାରତୀୟ।

Share