ହ୍ୟାଣ୍ଡଶେକ୍‌ ନୁହେଁ, କେବଳ ହସଟିଏ

ପୁରୀ ଅଫିସ,୧୬।୩: କରୋନା ଭାଇରସର ଭୟାବହତା ସାରା ବିଶ୍ୱକୁ ଘୋଟିଛି। ଲକ୍ଷାଧିକ ଲୋକେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ୫,୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଭାରତରେ ମଧ୍ୟ ଧୀରେ ଧୀରେ କାୟା ମେଲାଉଛି କରୋନା। ଓଡ଼ିଶା ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଯଦିଓ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ତଥାପି ପ୍ରତିଦିନ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ଯିବା ଖବର ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଉଛି। ଏହି ମହାବିପତ୍ତିରୁ କିପରି ରକ୍ଷା ପାଇହେବ ସେଥିଲାଗି ସରକାର ବିଭିନ୍ନ ପ୍ରକାର ପରାମର୍ଶ ଜାରି କରୁଛନ୍ତି। ସଚେତନତା ଏବଂ ସତର୍କତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳିସ୍ଥିତିରେ ଲୋକଙ୍କ ଚାଲିଚଳଣିରେ ଭିନ୍ନତା ପରିଲକ୍ଷିତ ହୋଇଛି, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ପୁରୀରେ ମର୍ନିଂଓ୍ବାକ୍‌ ସମୟରେ। ପୂର୍ବରୁ ଲୋକେ ବାଟରେ ଭେଟୁଥିବା ବନ୍ଧୁଙ୍କୁ ହାତ ମିଳାଉଥିଲେ। ଏବେ ତାହା ବନ୍ଦ ହୋଇଯାଇଛି। ପ୍ରାତଃଭ୍ରମଣ ସମୟରେ ବନ୍ଧୁଙ୍କୁ ଦେଖିଲେ ଆଉ ହ୍ୟାଣ୍ଡଶେକ୍‌ ନୁହେଁ କହି, ଉଭୟେ ହସିଦେଇ ଯିଏ ଯାହାର ବାଟରେ ଯାଉଛନ୍ତି।
ପ୍ରାତଃ ଭ୍ରମଣ ହେଉ ଅବା ସାନ୍ଧ୍ୟ ଭ୍ରମଣ, ପୁରୀ ସହରବାସୀ ଗାନ୍ଧୀ ପାର୍କକୁ ପସନ୍ଦ କରିଥାନ୍ତି। ବେଳାଭୂମି କଡ଼ରେ ଥିବା ଏହି ପାର୍କ ବେଶ୍‌ ସୁନ୍ଦର ଆଉ ସବୁଜିମାମୟ। ତେଣୁ ଏଠାରେ ସହରବାସୀଙ୍କ ଉପସ୍ଥିତି ଦେଖିବାକୁ ମିଳେ। ପାର୍କର ପଛ ଗେଟ୍‌ ଦେଇ କେହି କେହି ବେଳାଭୂମି କଡ଼େ କଡ଼େ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାନ୍ତି। ଶନିବାର ପ୍ରାତଃ ଭ୍ରମଣ ସମୟରେ ଲୋକେ ଆଉ ପୂର୍ବ ପରି ସେମାନଙ୍କ ଚିହ୍ନାମୁହଁ ସହ ହାତ ନ ମିଳାଇ ପରସ୍ପରକୁ ସତର୍କ ରହିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ମର୍ନିଂ ଓ୍ବାକ୍‌ କରୁଥିବା ସଞ୍ଜୟ ମହାପାତ୍ର କହିଛନ୍ତି ଯେ, ଯଥାସମ୍ଭବ କାହା ସଂସ୍ପର୍ଶରେ ନ ଆସିବା ଉଚିତ। ହାତକୁ ଭଲ ଭାବେ ଧୋଇବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି। ତେଣୁ କାହା ସହ ହାତ ମିଳାଇବାକୁ ଏବେ ଚେଷ୍ଟା କରୁନି। ଏବେ ଯଦି କେହି ବାଟରେ ଦେଖା ହେଉଛନ୍ତି, କେବଳ ହସିକି ପଦିଏ କଥା କହି ତାଙ୍କଠାରୁ ବିଦାୟ ନେଉଛି ବୋଲି ସେ କହିଛନ୍ତି।

Share