ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରୁଥିଲେ…

ସାଧାରଣତଃ ଦେଖାଯାଇଥାଏ, ହାତ ପରିଷ୍କାର କରିବାକୁ ବର୍ତ୍ତମାନ ସମୟରେ ବିଭିନ୍ନ ବ୍ରାଣ୍ଡ୍‌ର ହ୍ୟାଣ୍ଡ୍‌ସାନିଟାଇଜର୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହାର ଉପଯୋଗ ଆପଣଙ୍କୁ ସୁସ୍ଥ ରଖିବା ପରିବର୍ତ୍ତେ ରୋଗଗ୍ରସ୍ତ ଏବଂ ଦୁର୍ବଳ କରିପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ୟୁନିଭର୍ସିଟି ଅଫ୍‌ ମେଲ୍‌ବର୍ଣ୍ଣରେ କରାଯାଇଥିବା ଏକ ଗବେଷଣାରୁ ଏଭଳି ତଥ୍ୟ ପ୍ରକାଶ କରିଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଆଲ୍‌କହଲ୍‌ ମିଶ୍ରିତ ହ୍ୟାଣ୍ଡ୍‌ଜେଲ୍‌ ବା ସାନିଟାଇଜର୍ସ ସାମାନ୍ୟ ବ୍ୟାକ୍ଟେରିଆକୁ ସୁପରବଗ୍‌ରେ ପରିବର୍ତ୍ତିତ କରିଥାଏ, ଯାହା ଖୁବ୍‌ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ର ପ୍ରଭାବକୁ ପ୍ରତିରୋଧ କରିଥାନ୍ତି। ଏହାର ଅର୍ଥ, ସାନିଟାଇଜର୍‌ ଏଭଳି କିଛି ବ୍ୟାକ୍ଟେରିଆଙ୍କୁ ଶକ୍ତିଶାଳୀ କରିଦିଏ, ଯାହା ଶରୀର ପାଇଁ ହାନିକାରକ। ଗବେଷଣା ଅନୁସାରେ, ଲୋକଙ୍କର ଧାରଣା ଗୋଟିଏ ବୁନ୍ଦା ସାନିଟାଇଜର୍‌ ହାତରେ ଥିବା କୀଟାଣୁଙ୍କ ସର୍ବନାଶ କରିଥାଏ। କିନ୍ତୁ ଏହି ଧାରଣା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। କାରଣ ଅଧିକାଂଶ ସାନିଟାଇଜର୍‌ରେ ୬୦ ପ୍ରତିଶତ ଆଲ୍‌କୋହଲ୍‌ ଥାଏ, ଯାହା କୀଟାଣୁଙ୍କୁ ସମ୍ପୂର୍ଣ୍ଣ ଭାବେ ମାରିବା ପାଇଁ ପର୍ଯ୍ୟାପ୍ତ ନ ଥାଏ। ବୈଜ୍ଞାନିକମାନେ ଏହି ଭୟକୁ ଦୃଷ୍ଟିରେ ରଖି ସାନିଟାଇଜର୍‌ ପରିବର୍ତ୍ତେ ସାବୁନର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।