Categories: ଖେଳ

ହ୍ୟାରୀ କେନଙ୍କ ହ୍ୟାଟ୍ରିକ: ଇଂଲଣ୍ଡର ବୃହତ୍‌ ବିଜୟ

ଲଣ୍ଡନ,୮।୯- ୟୁରୋକପ୍‌ କ୍ୱାଲିଫାଇଙ୍ଗ୍‌ରେ ଇଂଲଣ୍ଡ ଗ୍ରୁପ୍‌ ଏ’ରେ ଶନିବାର ଅପେକ୍ଷାକୃତ ଦୁର୍ବଳ ବୁଲଗେରିଆକୁ ୪-୦ ଗୋଲରେ ଅତି ସହଜରେ ପରାସ୍ତ କରିଛି। ଆରମ୍ଭରୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରି ଖେଳିଥିବା ଇଂଲଣ୍ଡ ତରଫରୁ ହ୍ୟାରୀ କେନ ହ୍ୟାଟ୍ରିକ୍‌ ଗୋଲ ସ୍କୋର କରିଥିଲେ। ସେ ୨୪ତମ ମିନିଟ୍‌ରେ ପ୍ରଥମେ ଫିଲ୍ଡ ଗୋଲ ଦେଇଥିଲେ। ଏହାପରେ ସେ ୪୯ ଓ ୭୩ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଗୋଲ ଦେଇ ଦଳକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ। ଓ୍ବିମ୍ବଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୫୫ତମ ମିନିଟ୍‌ରେ ଇଂଲଣ୍ଡର ରାହିମ ଷ୍ଟିର୍ଲିଂ ଗୋଲ ସ୍କୋର କରିଥିଲେ। ବୁଲଗେରିଆ ଏହି ମ୍ୟାଚ୍‌ରେ ଆତ୍ମସମର୍ପଣ କରିଥିଲା। ଏଥିସହିତ ଇଂଲଣ୍ଡ ୩ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ସହ ୯ ପଏଣ୍ଟ ହାସଲ କରି ଗ୍ରୁପ୍‌ ଏ’ ଶୀର୍ଷ ସ୍ଥାନରେ ରହିଛି।
ନେଦରଲାଣ୍ଡ୍ସଠାରୁ ହାରିଲା ଜର୍ମାନୀ
ଗ୍ରୁପ୍‌ ସି’ରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଜର୍ମାନୀ ବିପର୍ଯ୍ୟୟର ଶିକାର ହୋଇଛି। ଜର୍ମାନୀ ୪-୨ ଗୋଲରେ ନେଦରଲାଣ୍ଡ୍ସଠାରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ଜର୍ମାନୀ ଗ୍ରୁପ୍‌ ସି’ରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ନଦର୍ନ ଆୟର୍ଲାଣ୍ଡ ୪ଟି ମ୍ୟାଚ୍‌ ଖେଳି ୪ ବିଜୟ ସହ ୧୨ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି।
ଫ୍ରାନ୍ସଠାରୁ ୪-୧ ଗୋଲରେ ହାରିଲା ଅଲବାନିଆ
ଗ୍ରୁପ୍‌ ଏଚ୍‌’ରେ ବିଶ୍ୱଚାମ୍ପିୟନ ଫ୍ରାନ୍ସ ୪-୧ ଗୋଲରେ ଅଲବାନିଆକୁ ହରାଇଛି। ପ୍ରାନ୍ସ ତରଫରୁ କିଙ୍ଗ୍ସଲ କୋମାନ ୮ ଓ ୮୬ତମ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ। ଏହି ବିଜୟ ସହ ଗ୍ରୁପ୍‌ ଏଚ୍‌’ରେ ଫ୍ରାନ୍ସ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୧୨ ପଏଣ୍ଟ ପାଇ ଶୀର୍ଷରେ ରହିଛି। ସେହିପରି ଗ୍ରୁପ୍‌ ବି’ରେ ୟୁକ୍ରେନ୍‌ ୩-୦ରେ ଲିଥୁଆନିଆକୁ ପରାସ୍ତ କରିଛି। ୟୁକ୍ରେନ୍‌ ଏଥି ସହିତ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ଡ୍ର ସହ ୧୩ ପଏଣ୍ଟ ପାଇଁ ଶୀର୍ଷରେ ରହିଛି। ଅନ୍ୟପଟେ ଲିଥୁଆନିଆ ୪ ମ୍ୟାଚ୍‌ ଖେଳି ଗୋଟିଏ ଡ୍ର ଓ ୩ ପରାଜୟ ସହ ୧ ପଏଣ୍ଟ ହାସଲ କରି ପଞ୍ଚମ ତଥା ନିମ୍ନତମ ସ୍ଥାନରେ ରହିଛି। ସେହିପରି ଗୁପ୍‌ ଏଚ୍‌’ରେ ତୁର୍କି ୧-୦ ଗୋଲରେ ଆଣ୍ଡୋରାକୁ ହରାଇଛି। ତୁର୍କୀ ଏଥିସହିତ ୫ ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ଗ୍ରୁପ୍‌ ଏଚ୍‌’ର ଦ୍ୱିତୀୟ ସ୍ଥାନରେ ରହିଛି।

Share