‘ହ୍ୟୁମାନ୍‌ ଏରର୍‌’ ପାଇଁ ଦୁର୍ଘଟଣାର ଶିକାର ହେଲା ୟୁକ୍ରେନ ବିମାନ: ଇରାନ

ଦୁବାଇ,୧୧।୧: ଗତ ବୁଧବାର ଇରାନର ତେହରାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟୁକ୍ରେନ ବିମାନକୁ ନେଇ ଏବେ ଇରାନ କହିଛି, ‘ହ୍ୟୁମାନ୍‌ ଏରର୍‌’ ପାଇଁ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଶନିବାର ଇରାନ ବୈଦେଶିକମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭୁଲ୍‌ ବଶତଃ ଇରାନ ୟୁକ୍ରେନର ବିମାନକୁ ଖସାଇ ଦେଇଛି। ସୂଚନାଯୋଗ୍ୟ, ବିମାନଟି ଉଡିବାର ମାତ୍ର କିଛି ସମୟ ପରେ ଦୁର୍ଘଟଣାର ଶିକାର ହୋଇଥିଲା ଓ ଏଥିରେ ଥିବା ୧୭୬ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଇରାନ ଭୁଲବଶତଃ ଏହାକୁ ଟାର୍ଗେଟ କରି ଖସାଇଦେଇଛି ବୋଲି ଆମେରିକା ଦାବି କରୁଥିବାବେଳେ ନ୍ୟୁୟର୍କ ଟାଇମ୍ସ ଏବଂ ସିଏନ୍‌ଏନ୍‌ ସମେତ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ହାତରେ ଦୁର୍ଘଟଣା ବେଳର ଦୃଶ୍ୟ ଥିବା ୧୦ ସେକେଣ୍ଡ ଅବଧିର ଏକ ଭିଡିଓ ଲାଗିଥିଲା। ଏଥିରୁ ଅନୁମାନ କରାଯାଉଥିଲା କି ଦୁର୍ଘଟଣାର କାରଣ ସର୍ମ୍ପକରେ ଏହି ଭିଡିଓରୁ କିଛି ତଥ୍ୟ ମିଳିପାରିବ। ଏବେ କିନ୍ତୁ ଇରାନ ନିଜେ ସ୍ବୀକାର କଲାଣି କି ସେ ହିଁ ଉକ୍ତ ବିମାନକୁ ଖସାଇ ଦେଇଛି। ଏହି ଘଟଣାକୁ ନେଇ ଇରାନ ରାଷ୍ଟ୍ରପତି ହାସନ ରୁହାନି ଟୁଇଟ୍‌ କରି କହିଛନ୍ତି ଏହା ଏକ ଅକ୍ଷମଣୀୟ ଭୁଲ।

Share