ଭୁବନେଶ୍ୱର, ୧୧ା୮(କ୍ରୀଡ଼ା ପ୍ରତିନିଧି)-
ଇଟାଲିରେ ଚାଲିଥିବା ସ୍ପିଲିମବର୍ଗୋ ଓପନର ଚେସ୍ର ମାଷ୍ଟର ବର୍ଗରେ ଓଡ଼ିଶାର ମହୀତୋଷ ଦେଙ୍କୁ ବଡ଼ ସଫଳତା ମିଳିଛି। ୧୯୮୧ ରେଟିଂ ପ୍ରାପ୍ତ ମହୀତୋଷ ଶନିବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡରେ ଇଟାଲି ଗ୍ରାଣ୍ଡମାଷ୍ଟର ମୋରୋନି ଲୁକା ଜୁନିୟର(୨୫୭୨ ରେଟିଂ)ଙ୍କୁ ହରାଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଆରମ୍ଭରେ ରକ୍ଷଣାତ୍ମକ ଖେଳିଥିବା ମହୀତୋଷ ମଧ୍ୟଭାଗରେ ସୁଯୋଗ ପାଇ ଆକ୍ରମଣାତ୍ମକଭାବେ ଗୋଟିଚାଳନା କରିଥିଲେ। ଶେଷରେ ସେ ଗ୍ରାଣ୍ଡମାଷ୍ଟରଙ୍କୁ ରୋକିବାରେ ସକ୍ଷମ ହୋଇଥିଲେ। ଓଡ଼ିଶାର ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର ସ୍ବୟମ୍ସ ମିଶ୍ରଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ ମହୀତୋଷ ପ୍ରଥମ ରାଉଣ୍ଡରେ ଇଟାଲି ଫିଡେ ମାଷ୍ଟର କାର୍ନିସେଲି ଭାଲେରିଓଙ୍କ ସହ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିଲେ। ୨ ରାଉଣ୍ଡ ଶେଷସୁଦ୍ଧା ସେ ୧.୫ ପଏଣ୍ଟ ହାସଲ କରି ୩୭ତମ ସ୍ଥାନରେ ରହିଛନ୍ତି। ଏଥି ସହିତ ସେ ୫୦.୮ ରେଟିଂ ପଏଣ୍ଟର ଫାଇଦା ପାଇଛନ୍ତି। ତୃତୀୟ ରାଉଣ୍ଡରେ ସେ ରୋମାନିଆ ଗ୍ରାଣ୍ଡମାଷ୍ଟର ମିରୋନ ଲୁସିଆନ-କଷ୍ଟିନ(୨୪୯୪)ଙ୍କୁ ଭେଟିବେ। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତା ୧୫ ତାରିଖରେ ଶେଷ ହେବ।