ୟୁଏଇରୁ ଫେରିଲେ ୩୫୪

ଦୁବାଇ,୮ା୫: କରୋନା ସଂକ୍ରମଣ ରୋକିବା ଲାଗି ବିମାନ ଚଳାଚଳ ବନ୍ଦ ଥିବାରୁ ବିଦେଶରେ ଲକ୍ଷାଧିକ ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ‘ବନ୍ଦେ ଭାରତ ମିଶନ’ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ଗୁରୁବାର ପ୍ରଥମ ଦଫାରେ ୟୁଏଇରୁ ଦୁଇଟି ବିମାନରେ ୩୫୪ ଭାରତୀୟ କେରଳ ଫେରୁଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଗର୍ଭବତୀ ମହିଳା ଓ ଦୁଇ ଯୋଡ଼ା ଯମଜ ଶିଶୁ ଅଛନ୍ତି। ପ୍ରଥମେ ଏୟାର ଏସିଆ ଏକ୍ସପ୍ରେସ୍‌ ବିମାନ ଆଇଏକ୍ସ୪୫୨ ଆବୁଧାବିରୁ କୋଚି ଅଭିମୁଖେ ଛାଡ଼ିଥିବାବେଳେ ଏହା ପରେ ଦୁବାଇରୁ କୋଝିକୋଡେ ଅନ୍ୟ ଏକ ବିମାନ ଛାଡ଼ିଛି। ଭାରତୀୟମାନେ ହାତରେ ତ୍ରିରଙ୍ଗା ଧରି ବିମାନବନ୍ଦରରେ ପହଞ୍ଚିଥିବା ବେଳେ ରାଷ୍ଟ୍ରଦୂତ ରାଷ୍ଟ୍ରଦୂତ ପଓ୍ବନ କପୁର ଯାତ୍ରୀଙ୍କ ଫେରିବାର ସବୁ ବ୍ୟବସ୍ଥା କରିଥିଲେ। ବିଦେଶରେ ଅଟକି ରହିଥିବା ପାଖାପାଖି ୧୪,୮୦୦ ଭାରତୀୟଙ୍କୁ ଚଳିତ ମାସରେ ଫେରାଇ ଅଣାଯିବ ବୋଲି ଦୁଇଦିନ ପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ। ଏଥିପାଇଁ ୬୪ଟି ବିମାନକୁ ନିୟୋଜିତ କରାଯାଇଛି। ଏଥିସହିତ ମାଳଦ୍ୱୀପ ଏବଂ ୟୁଏଇରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ନୌସେନା ୩ଟି ଜାହାଜ ପଠାଇଛି।

Share