Categories: ଖେଳ

ୟୁଏସ୍‌ ଓପନ୍‌ରୁ ଓହରିଲେ ଆଣ୍ଡରସନ

ନ୍ୟୁୟର୍କ, ୨୫।୮(ଏଏଫ୍‌ପି)- ୨ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବିଶ୍ୱର ୧୭ ନମ୍ବର ଖେଳାଳି ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ ଏଥର ୟୁଏସ୍‌ ଓପନ୍‌ରୁ ଓହରିଯାଇଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ର ମୁଖ୍ୟ ଡ୍ର ସୋମବାରଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଡାହାଣ ଆଣ୍ଠୁରେ ଦେଖା ଦେଇଥିବା ଆଘାତ ସମସ୍ୟା କାରଣରୁ ୩୩ ବର୍ଷୀୟ ଆଣ୍ଡରସନ ଶନିବାର ଓହରିଯିବା ନେଇ ଘୋଷଣା କରିଛନ୍ତି। ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟର ୨୦୧୭ ସଂସ୍କରଣରେ ଆଣ୍ଡରସନ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସ୍ପେନର ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ପ୍ରଥମ ରାଉଣ୍ଡରେ ଆଣ୍ଡରସନ ୧୬ ବର୍ଷୀୟ ଓ୍ବାଇଲ୍ଡ କାର୍ଡ ଜାଚାରୀ ଏସ୍‌ଭାଜାଙ୍କୁ ଭେଟିଥାନ୍ତେ। ତେବେ ସେ ଓହରିଯିବା ଫଳରେ ତାଙ୍କ ସ୍ଥାନରେ ଇଟାଲୀର ପାବ୍ଲୋ ଲୋରେଞ୍ଜିଙ୍କୁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳିବାର ସୁଯୋଗ ମିଳିଛି ବୋଲି ୟୁଏସ୍‌ ଟେନିସ୍‌ ଆସୋସିଏଶନ ଘୋଷଣା କରିଛି। ସେ ଚଳିତ ବର୍ଷ ଏଲ୍‌ବୋ ଇଞ୍ଜୁରିର ସମ୍ମୁଖୀନ ହୋଇଥିଲେ। ଉଲ୍ଲେଖଥାଉ କି, ଆଣ୍ଡରସନ ପୂର୍ବରୁ ୨୦୧୭ ୟୁଏସ୍‌ ଓପନ ସହିତ ୨୦୧୮ ଓ୍ବିମ୍ବେଲଡ଼ନ ଫାଇନାଲରେ ପ୍ରବେଶ କରିଥିଲେ। ଓ୍ବିମ୍ବେଲଡ଼ ଫାଇନାଲ୍‌ରେ ସେ ନୋଭାକ ଜୋକୋଭିଚ୍‌ଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆନ୍‌ ଓପନରେ ୨୦୧୩, ୨୦୧୪, ୨୦୧୫ରେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ସେ ୨୦୧୩, ୨୦୧୪, ୨୦୧୭, ୨୦୧୮ରେ ଫ୍ରେଞ୍ଚ୍‌ ଓପନ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଶ୍ୱର ୧୭ ନମ୍ବର ଖେଳାଳି ଆଣ୍ଡରସନ ଗତମାସ ଓ୍ବିମ୍ବେଲଡ଼ନ ତୃତୀୟ ରାଉଣ୍ଡରୁ ବିଦାୟ ନେବା ପରେ କୌଣସି ଟୁର୍ନାମେଣ୍ଟ ଖେଳି ନ ଥିଲେ। ଇଞ୍ଜୁରି କାରଣରୁ ସେ ଓ୍ବାଶିଂଟନ, ମଣ୍ଟ୍ରିଲ ଓ ସିନ୍‌ସିନାଟି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରି ନ ଥିଲେ।

Share