Categories: ଖେଳ

ୟୁଏସ୍‌ ଓପନ୍‌: ଚତୁର୍ଥ ରାଉଣ୍ଡରେ ନାଡ଼ାଲ

ନ୍ୟୁୟର୍କ,୧।୯- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଷଷ୍ଠ ଦିନରେ କେତେକ ସିଡେଡ୍‌ ଖେଳାଳି ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସ୍ପେନ୍‌ର ଦ୍ୱିତୀୟ ସିଡ ଖେଳାଳି ରାଫାଲ ନାଡାଲ ୬-୩, ୬-୪, ୬-୨ ସେଟରେ ଦକ୍ଷିଣ କୋରିଆର ଚୁଙ୍ଗ୍‌ ହେଅନଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୂର୍ବରୁ ୩ଥର ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିବା ନାଡାଲ ଏବେ ୨୦୧୪ ଚାମ୍ପିୟନ କ୍ରୋଏସିଆର ମାରିନ ସିଲିକଙ୍କୁ ଭେଟିବେ। ୨୨ତମ ସିଡ୍‌ ସିଲିକ ଅନ୍ୟଏକ ତୃତୀୟ ରାଉଣ୍ଡ ମୁକାବଲାରେ ୧୪ତମ ସିଡ ଜନ୍‌ ଇସ୍ନନରଙ୍କୁ ୭-୫, ୩-୬, ୭-୬, ୬-୪ ସେଟରେ ହରାଇ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ସୁଇଜରଲାଣ୍ଡର ଷ୍ଟାନିସଲାସ ଓ୍ବାରିଙ୍ଗା ଓ ଶ୍ରେଷ୍ଠ ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌ ଚତୁର୍ଥ ରାଉଣ୍ଡରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି।
ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ ଜାପାନର ନାଓମି ଓସାକା ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ସେ ଆମେରିକାର ୧୫ ବର୍ଷୀୟା ଖେଳାଳି କୋକୋ ଗୌଫ୍‌ଙ୍କୁ ୬-୩, ୬-୦ ସେଟ୍‌ରେ ଅତି ସହଜରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେ ଚତୁର୍ଥ ରାଉଣ୍ଡରେ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌କିକ୍‌ଙ୍କୁ ଭେଟିବେ। ବିଶ୍ୱର ୧୪ ନମ୍ବର ଖେଳାଳି ଇଷ୍ଟୋନିଆର ଆନେଟ କୋଣ୍ଟାଭେଇଟ୍‌ ଅସୁସ୍ଥତା କାରଣରୁ ତୃତୀୟ ରାଉଣ୍ଡରୁ ଓହରିଯିବା ଫଳରେ ବେନ୍‌କିକ୍‌ ଓ୍ବାକ୍‌ ଓଭର ପାଇ ଅଗ୍ରଗତି କରିଥିଲେ। ସେହିପରି ଆମେରିକାର ମାଡିନସନ କେଜ୍‌ ଓ ୟୁକ୍ରେନର ଏଲିନା ଭିଟୋଲିନା ଚତୁର୍ଥ ରାଉଣ୍ଡରେ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଛି।

Share