Categories: ଖେଳ

ୟୁଏସ୍‌ ଓପନ୍‌: ଜୋକୋଭିଚ୍‌, ଓସାକଙ୍କୁ ଟପ୍‌ ସିଡ୍‌

ନ୍ୟୁୟର୍କ, ୨୨।୮ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମାନଜନକ ଟେନିସ ପ୍ରତିଯୋଗିତାର ଏହା ହେବ ୧୩୯ତମ ସଂସ୍କରଣ। ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ ଓ ଜାପାନର ଟିନ୍‌ ଏଜ୍‌ ଖେଳାଳି ନାଓମି ଓସାକା ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ୍‌ ମାନ୍ୟତା ପାଇଛନ୍ତି। କ୍ୟାରିୟରର ୧୭ତମ ଟାଇଟଲ୍‌ ଜିତିବା ଲକ୍ଷ୍ୟରେ ରହିଥିବା ଜୋକୋଭିଚ୍‌ଙ୍କ ପଛକୁ ସ୍ପାନିଶ୍‌ ତାରକା ରାଫାଲ ନାଡାଲଙ୍କୁ ୨ୟ ସିଡ୍‌ ମାନ୍ୟତା ମିଳିଛି। ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ରୋଜର ଫେଡରର ତାଲିକାର ୩ୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ୨୦୧୮ ରନର୍ସଅପ୍‌ ସେରେନା ଓ୍ବିଲିୟମସନଙ୍କୁ ୮ମ ସିଡ୍‌ ମିଳିଛି। ଗତବର୍ଷ ଏଠାରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସେରେନାଙ୍କୁ ହରାଇ ଓସାକା କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଥିଲେ। ଏହାପରେ ଚଳିତ ବର୍ଷ ପ୍ରାରମ୍ଭରେ ସେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି କବ୍‌ଜା କରିଥିଲେ। ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଆଶଲେଘ ବାର୍ଟି ଓ ଓ୍ବିମ୍ବେଲଡନ ଚାମ୍ପିୟନ ସିମୋନା ହାଲେପ୍‌ ଯଥାକ୍ରମେ ୨ୟ ଓ ୪ର୍ଥ ସିଡ୍‌ ମାନ୍ୟତା ପାଇଛନ୍ତି।

Share