Categories: ଖେଳ

ୟୁଏସ୍‌ ଓପନ ଡ୍ରିମ୍‌ ଡେବ୍ୟୁ: ପ୍ରଥମ ରାଉଣ୍ଡରେ ଫେଡରରଙ୍କୁ ଭେଟିବେ ସୁମିତ୍‌

ନ୍ୟୁୟର୍କ,୨୫।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ସ୍ବପ୍ନ ପୂରା କରିଛନ୍ତି। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ସିଜନର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ସୁମିତ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟ ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ସୁମିତ୍‌ଙ୍କ ମୁକାବିଲା ଟେନିସର ଲିଜେଣ୍ଡ ତଥା ୨୦ଥର ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ବିଜେତା ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସହ ହେବ। ଏହି ମ୍ୟାଚ୍‌ ସୋମବାର ଖେଳାଯିବ।
ଅନ୍ତିମ ରାଉଣ୍ଡରେ ନାଗାଲ ବ୍ରାଜିଲ ଜୋଆଓ ମେନେଜସଙ୍କୁ ହରାଇଛନ୍ତି। ମ୍ୟାଚ୍‌ରେ ପ୍ରଥମ ସେଟ୍‌ ୫-୭ ବ୍ୟବଧାନରେ ହାରିବା ପରେ ଦ୍ୱିତୀୟ ଓ ୩ୟ ସେଟ୍‌କୁ ୬-୪, ୬-୩ରେ ଜିତି ନେଇଛନ୍ତି। ଜିତିବା ପାଇଁ ତାଙ୍କୁ ୨ ଘଣ୍ଟା ୨୭ ମିନିଟ୍‌ ଲାଗିଥିଲା। ଗତ ଦଶନ୍ଧି ମଧ୍ୟରେ ଦେଶର ୫ମ ସିଙ୍ଗଲ୍ସ ଖେଳାଳି ଭାବେ ସେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ସୋମଦେବ ବର୍ମନ, ୟୁକି ଭାମ୍ବ୍ରି, ସାକେତ ମାଇନେନି ଓ ପ୍ରଜନେଶ ଗୁଣେଶ୍ୱରନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଖେଳିସାରିଛନ୍ତି। ନାଗାଲଙ୍କ ବ୍ୟତୀତ ପ୍ରଜନେଶ ମଧ୍ୟ ମୁଖ୍ୟ ପର୍ଯ୍ୟାୟରେ ଖେଳିବେ। ୧୯୯୮ ପରେ ପ୍ରଥମ ଥର ପାଇଁ ଭାରତର ଦୁଇ ଖେଳାଳି କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ସିଙ୍ଗଲ୍ସ ବର୍ଗରେ ଖେଳିବାକୁ ଯାଉଛନ୍ତି। ଅନ୍ତିମ ଥର ଭେଟେରାନ ଲିଆଣ୍ଡର ପେସ ଓ ମହେଶ ଭୂପତି ଓ୍ବିମ୍ବେଲଡନରେ ଖେଳିଥିଲେ। ପ୍ରଜନେଶ ପ୍ରଥମ ରାଉଣ୍ଡରେ ସିନସିନାଟି ମାଷ୍ଟର୍ସ ଚାମ୍ପିୟନ ତଥା ବିଶ୍ୱ ର଼୍ୟାଙ୍କିଙ୍ଗର ୫ମ ସ୍ଥାନରେ ଥିବା ଡାନିଏଲ ମେଡଭେଡେଭଙ୍କୁ ଭେଟିବେ।

Share