Categories: ବାଣିଜ୍ୟ

ୟୁଏସ୍‌ ଭିଜା ପାଇଁ ଆବେଦନ; ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡିଆ ରେକର୍ଡ

ଓ୍ବାଶିଂଟନ,୩-୬: ଆମେରିକାର ଟ୍ରମ୍ପ ସରକାର ଭିଜା ନିୟମରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଭିଜା ଆବେଦନ କରିବା ବେଳେ ଆବେଦନକାରୀଙ୍କୁ ନିଜର ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ନାମ ଏବଂ ଗତ ୫ ବର୍ଷର ସମସ୍ତ ତଥ୍ୟ ଦେବାକୁ ହେବ। ନିୟମାନୁସାରେ ଟ୍ରମ୍ପ ସରକାର ଆବେଦନକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଯେକୌଣସି ମୁହୂର୍ତ୍ତରେ ଯାଞ୍ଚ କରିପାରିବେ। ଏହାଛଡ଼ା ଭିଜା ଆବେଦନକାରୀଙ୍କୁ ଗତ ୧୫ ବର୍ଷ ଧରି ତାଙ୍କର ଜୀବନ ଏବଂ ଶରୀରରେ ଦେଖାଦେଇଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ ପଚରାଯାଇପାରେ। ଆମେରିକା ନାଗରିକଙ୍କ ସୁରକ୍ଷାକୁ ଧ୍ୟାନ ରଖି ଭିଜା ନିୟମରେ ଏଭଳି ସଂଶୋଧନ କରାଯାଇଛି ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।
କଡ଼ା ସୁରକ୍ଷା କାରଣରୁ ଦେଶକୁ ଆସୁଥିବା ବିଦେଶୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ପରିଚୟ ଜାଣିବାକୁ ହେବ। ତେବେ ଏହାକୁ ଶିକ୍ଷା ସହ ଜଡ଼ିତ ଅଫିସରସମୂହ ଏବଂ ଆକାଡେମିକ ଗ୍ରୁପ୍‌ ବିରୋଧ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ, ୫ବର୍ଷର ସୋସିଆଲ ମିଡିଆ ରେକର୍ଡ, ପୁରୁଣା ପାସପୋର୍ଟର ନମ୍ବର ଏବଂ ତଥ୍ୟ, ଇ-ମେଲ ଆଡ୍ରେସ୍‌, ୫ ବର୍ଷ ଧରି ବ୍ୟବହାର କରିଥିବା ଫୋନ ନମ୍ବର, ୧୫ ବର୍ଷର ବାୟୋଲଜିକାଲ ସୂଚନା ଅର୍ଥାତ୍‌ କେଉଁ କେଉଁ ସ୍ଥାନରେ ରହିଥିଲେ, କେଉଁଠି ପାଠ ପଢ଼ିଥିଲେ, କେଉଁ ସ୍ଥାନକୁ ଯାତ୍ରା କରିଛନ୍ତି ଇତ୍ୟାଦି। ପୂର୍ବରୁ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଆତଙ୍କବାଦ ଅଥବା ଅନ୍ୟ କୌଣସି ରାଷ୍ଟ୍ରୀୟ ବିପଦ ଦୃଷ୍ଟିରୁ ସନ୍ଦିଗ୍ଧ ମନେକରାଯାଉଥିବା ବ୍ୟକ୍ତିମାନଙ୍କଠାରୁ ତଥ୍ୟ ନିଆଯିବ।
କିନ୍ତୁ ସରକାର ମତପରିବର୍ତ୍ତନ କରି ଏହାକୁ ସମସ୍ତଙ୍କ ପାଇଁ ଲାଗୁ କରିଛନ୍ତି। ସୂଚନାଥାଉ କି, ଟ୍ରମ୍ପ ପ୍ରଶାସନ ପକ୍ଷରୁ ୨୦୧୮ ମାର୍ଚ୍ଚରେ ଭିଜା ନିୟମରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେତେବେଳେ ଏହାକୁ ସଂସଦରେ ଜୋର୍‌ଦାର ବିରୋଧ କରାଯାଇଥିଲା। ତେବେ ଏହାକୁ ଶେଷରେ ଅନୁମୋଦନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ରେକର୍ଡରୁ ହିଁ ଆବେଦନକାରୀଙ୍କୁ ଭିଜା ମିଳିବ କି ନା ଜଣାପଡିଯିବ। ଗତବର୍ଷ ଆମେରିକାରେ ସାରା ବିଶ୍ୱରୁ ୧.୪୭ କୋଟି ଭିଜା ଆବେଦନ କରାଯାଇଥିଲା।

Share