ୟୁକ୍ରେନରେ ଆମେ ଜମି ପାଇଁ ଲଢୁଛୁ: ପୁଟିନ

ମସ୍କୋ,୯।୫: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ୭୭ତମ ବିଜୟ ଦିବସ ପାଳନ କରୁଛି। ଏହି ଦିନ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟ ଘୋଷଣା କରିଥିଲା। ସୋମବାର ୭୭ତମ ବିଜୟ ଦିବସକୁ ସମ୍ବୋଧିତ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ରୁଷିଆର କାର୍ଯ୍ୟକଳାପକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ ଲଢେଇ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ୟୁକ୍ରେନରେ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ପାଶ୍ଚାତ୍ୟ ଦେଶର ନୀତି ବିରୋଧରେ ସଠିକ ସମୟରେ ଦିଆଯାଇଥିବା ଉପଯୁକ୍ତ ଜବାବ ଅଟେ। ରୁଷିଆ ୟୁକ୍ରେନରେ ନିଜର ମାତୃଭୂମି ରକ୍ଷା କରୁଛି। ଦୁନିଆରେ ଯୁଦ୍ଧ ଯେପରି ଆଉ ଥରେ ନ ହୁଏ ସେଥିପାଇଁ ସବୁକିଛି କରିବା ଆମର ଦାୟିତ୍ୱ ଅଟେ।
ପୁଟିନ ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି, ନାଟୋ ଆମ ସୀମାରେ ରୁଷିଆ ପାଇଁ ବିପଦ ସୃଷ୍ଟି କରୁଛି। ୟୁକ୍ରେନରେ ରୁଷିଆର ସୈନ୍ୟମାନେ ବିପଦର ସମ୍ମୁଖୀନ ହେଉଛନ୍ତି। ଆମେ ଆମର ଜମି ପାଇଁ ସଂଗ୍ରାମ କରୁଛୁ। ୟୁକ୍ରେନ ଆଣବିକ ଅସ୍ତ୍ର ଆଡକୁ ଗତି କରୁଛି। ଆମେ ଶପଥ ନେଇଛୁ ଯେ ହିଟଲରଙ୍କ ପରି ରୁଷିଆ ମଧ୍ୟ ଯୁଦ୍ଧରେ ୟୁକ୍ରେନକୁ ପରାସ୍ତ କରିବ। ଏହି ଯୁଦ୍ଧରେ ବିଜୟ ଆମର ହେବ। ଏହି ସମୟରେ ୟୁକ୍ରେନ ଯୁଦ୍ଧରେ ନିହତ ହୋଇଥିବା ସୈନିକମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

 

Share