ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେମାନେ ଘରକୁ ଫେରିବା ସମ୍ଭବପର ହୋଇପାରୁ ନ ଥିବା ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲେଣି। ଯାହାକୁ ନେଇ ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ୟୁକ୍ରେନସ୍ଥିତ ଭାରତୀୟ ଦୂତବାସଙ୍କ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କ ଆଲୋଚନା ଜାରି ରହିଛି। ଓଡ଼ିଆଙ୍କ ସମେତ ସେଠାରେ ଥିବା ୧୦ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ପ୍ରଚେଷ୍ଟା ଚାଲିଛି ବୋଲି ଜଣେ ଛାତ୍ର କହିଛନ୍ତି।
ୟୁକ୍ରେନରେ କରୋନା ଭାଇରସ୍‌ ପ୍ରଭାବକୁ ନେଇ ଲକଡାଉନ ଘୋଷଣା ହୋଇଛି। ମଙ୍ଗଳବାର ସୁଦ୍ଧା ଏଠାରେ ୫୪୯ଜଣ କରୋନା ଆକ୍ରାନ୍ତ ହୋଇ ସାରିଲେଣି। ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଉଛି। ସୂଚନା ଅନୁଯାୟୀ, କଟକ, ଭୁବନେଶ୍ୱର, ଜଗତସିଂହପୁର, ଯାଜପୁର, ରାଉରକେଲା ପ୍ରଭୃତି ଅଞ୍ଚଳର ବହୁ ଛାତ୍ରୀଛାତ୍ର ୟୁକ୍ରେନରେ ପଢ଼ୁଛନ୍ତି। ୧୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଛାତ୍ରୀଛାତ୍ର ୟୁକ୍ରେନର ଭିନିତସ୍ୟା ନ୍ୟାଶନାଲ ମେଡିିକାଲ ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଏବେ ଲକଡାଉନ ଯୋଗୁ ସେମାନେ ଅସୁବିଧାରେ ପଡ଼ିଛନ୍ତି। ସେମାନଙ୍କୁ ୟୁକ୍ରେନ ପଠାଇଥିବା ଘରୋଇ ସଂସ୍ଥା ଏବେ ବନ୍ଦ। ଏହି ସଂସ୍ଥା ମାଧ୍ୟମରେ ସେମାନେ ସିଧାସଳଖ ୟୁକ୍ରେନ ମୁଦ୍ରା ବ୍ୟବହାର କରିବାର ସୁବିଧା ପାଉଥିଲେ। ହେଲେ ସଂସ୍ଥା ବନ୍ଦ ରହିଥିବାରୁ ନେଣଦେଣ ପ୍ରଭାବିତ ହୋଇଛି। ଫଳସ୍ବରୂପ ଛାତ୍ରୀଛାତ୍ରମାନେ ଆର୍ଥିକ ସଙ୍କଟ ଆଡ଼କୁ ମୁହାଁଉଛନ୍ତି। ସେଠାରେ ଥିବା କଟକର ଡ. ସୁଶୀଲ ଦାଶ କହିଛନ୍ତି ଯେ, ସମସ୍ତ ଓଡ଼ିଆ ଛାତ୍ରୀଛାତ୍ର ଏବେ ଏକଜୁଟ ଅଛନ୍ତି। ଯାହା ବି ସମସ୍ୟା ଆସିବ ତାହାକୁ ସମ୍ମୁଖୀନ କରିବା ପାଇଁ ପ୍ରସ୍ତୁତ। ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣଠାରୁ ଦୂରେଇ ରହିବାକୁ ବିଶେଷ ପ୍ରାଧାନ୍ୟ ଦେଉଛୁ।

Share