Categories: ବାଣିଜ୍ୟ

ୟୁଟ୍ୟୁବ୍‌ରେ ପିଲାଙ୍କ ତଥ୍ୟ ରଖିବା ଅଭିଯୋଗ; ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା

ନୂଆଦିଲ୍ଲୀ,୫ା୯: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା ଦେବା ଲାଗି ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି) ନିର୍ଦ୍ଦେଶ ଦେଇଛନ୍ତି। ଗୁଗଲର ସହଯୋଗୀ ଭିଡ଼ିଓ ସେୟାରିଂ କମ୍ପାନୀ ୟୁଟ୍ୟୁବ୍‌ ବେଆଇନ ଭାବେ ପିଲାମାନଙ୍କ ଡାଟାକୁ ଏକତ୍ରିତ କରୁଥିବାର ଅଭିଯୋଗ ହୋଇଥିଲା। ଏହି ଡାଟାକୁ ୟୁଟ୍ୟୁବ୍‌ ପରେ ଅନ୍ୟ ତୃତୀୟ ପକ୍ଷ କମ୍ପାନୀଗୁଡ଼ିକୁ ବିକ୍ରି କରାଯାଉଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ପିଲାମାନଙ୍କ ଡାଟା ସଂଗ୍ରହ ବେଳେ ୟୁଟ୍ୟୁବ୍‌ ମାତାପିତାଙ୍କ ସହମତି ନେଇ ନଥିଲା। ଗୁଗଲ ଏଫ୍‌ଟିସି ଏବଂ ନ୍ୟୁୟର୍କ ଷ୍ଟେଟ୍‌ ଆଟର୍ନିଙ୍କ ନିକଟରେ ନିଜର ଭୁଲ୍‌ ସ୍ବୀକାର କରି ଜରିମାନା ଦେବାକୁ ରାଜି ହୋଇଛି। ଏଫ୍‌ଟିସି ଅଧ୍ୟକ୍ଷ ଜୋ ସିମନ୍ସ କହିଛନ୍ତି ଯେ, ୟୁଟ୍ୟୁବ୍‌କୁ ପିଲାମାନେ ଅଧିକ ପସନ୍ଦ କରନ୍ତି। ଏଭଳି ସ୍ଥିତିରେ ପିଲାମାନଙ୍କ ତଥ୍ୟ ଅନ୍ୟ କୌଣସି ତୃତୀୟ ପକ୍ଷକୁ ଦେବା ଆମେରିକା ଆଇନର ବିରୁଦ୍ଧାଚରଣ କରୁଛି। ପିଲାମାନଙ୍କ ଗୋପନୀୟତା ଭଙ୍ଗ ମାମଲାରେ ଆମେରିକା ଉପଭୋକ୍ତା ସୁରକ୍ଷା ନିୟାମକ ଫେଡେରାଲ ଟ୍ରେଡ କମିଶନ ଦ୍ୱାରା ଅଦ୍ୟାବଧି ସର୍ବବୃହତ ଜରିମାନା ଆଦାୟ ନିର୍ଦ୍ଦେଶ ଦିଆଯାଇଛି।

Share