Categories: ଖେଳ

ୟୁନିଲାଇଟ୍‌ କପ୍‌ ଆନ୍ତଃ ସ୍କୁଲ ଫୁଟବଲ କିସ୍‌-ସୈନିକ ସ୍କୁଲ ଫାଇନାଲ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)-
ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ କ୍ୟାପିଟାଲ ହାଇସ୍କୁଲକୁ ହରାଇ କିସ୍‌ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ସୈନିକ ସ୍କୁଲ ଫାଇନାଲକୁ ଉନ୍ନୀତ ହୋଇଥିଲା। କିସ୍‌ ଓ ସୈନିକ ସ୍କୁଲ ମଧ୍ୟରେ ଫାଇନାଲ ରବିବାର ଅନୁଷ୍ଠିତ ହେବ।
କିସ୍‌ ଓ କ୍ୟାପିଟାଲ ସ୍କୁଲ ମଧ୍ୟରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ନିର୍ଦ୍ଧାରିତ ସମୟରେ କେହି ଗୋଲ ଦେଇପାରି ନ ଥିଲେ। ମ୍ୟାଚ ଡ୍ର ରହିବାରୁ ଫଳାଫଳ ପାଇଁ ଟାଇବ୍ରେକର ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରୁ ମଧ୍ୟ ଫଳ ମିଳି ନ ଥିଲା। ମ୍ୟାଚ ୪-୪ ଗୋଲରେ ବରାବର ରହିବାରୁ ସଡନ୍‌ଡେଥ୍‌ ପଦ୍ଧତି ଆପଣା ଯାଇଥିଲା। ଏଥିରେ କ୍ୟାପିଟାଲ ହାଇସ୍କୁଲ ଖେଳାଳିଙ୍କ ଶଟ୍‌ ଗୋଲପୋଷ୍ଟ ବାହାରକୁ ଚାଲି ଯାଇଥିବାବେଳେ କିସ୍‌ ସ୍କୁଲ ଗୋଲ ଦେଇ ବିଜୟ ହାସଲ କରିଥିଲା। ପରାଜିତ ହୋଇଥିଲେ ହେଁ କ୍ୟାପିଟାଲ ହାଇସ୍କୁଲର ସାହେବ ସୋରେନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚନ୍ଦ୍ରକାନ୍ତ ବାରିକ, ଦେବଜ୍ୟୋତି ସିଂ, ଶ୍ରୀକାନ୍ତ ପଣ୍ଡା, ଅମିତ ନାୟକ ଖେଳ ପରିଚାଳନା କରିଥିଲେ। ସୁଶାନ୍ତ ମହାନ୍ତି ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ।

Share