Categories: ଖେଳ

ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଶ୍ରୀ ଅରବିନ୍ଦ, ସୈନିକ ସ୍କୁଲ ସେମିରେ

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)-
ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ଶ୍ରୀ ଅରବିନ୍ଦ ନୋଡାଲ ବିଦ୍ୟାପୀଠ ଓ ସୈନିକ ସ୍କୁଲ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ୨ଟି କ୍ୱାର୍ଟର ଫାଇନାଲରେ ଏହି ଦୁଇ ଦଳ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚଟି ଶ୍ରୀ ଅରବିନ୍ଦ ଏବଂ ପଳାଶୁଣୀ ୟୁଜି ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟଭାବେ ଶେଷ ହୋଇଥିବାବେଳେ ୩୪ତମ ମିନିଟରେ ବାବୁଲାଲ ସାହୁ ଓ ୫୦ତମ ମିନିଟରେ କାବୁଲାଲ ସାହୁ ଗୋଟିଏ ଲେଖାଏ ଗୋଲ ଦେଇ ଶ୍ରୀ ଅରବିନ୍ଦ ସ୍କୁଲକୁ ବିଜୟୀ କରାଇଥିଲେ। ୟୁନିଟ-୬ ହାଇସ୍କୁଲର ସହକାରୀ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦତ୍ତ ଅତିଥିଭାବେ ଯୋଗଦେଇ ବାବୁଲାଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚ ସୈନିକ ସ୍କୁଲ ଓ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ମଧ୍ୟରେ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟଭାବେ ଶେଷ ହୋଇଥିବାବେଳେ ମ୍ୟାଚର ୪୧ତମ ମିନିଟରେ ସୈନିକ ସ୍କୁଲର ସୂରଜ ସୁନ୍ଦର ଡିଗଲ ସ୍କୋର କରିଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ମ୍ୟାଚ ଶେଷ ପର୍ଯ୍ୟନ୍ତ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ଗୋଲଟି ପରିଶୋଧ କରି ନ ପାରିବାରୁ ସୈନିକ ସ୍କୁଲ ସେମିଫାଇନାଲରେ ପ୍ରବେଶ କରିଥିଲା। ଜଗନ୍ନାଥ ପ୍ରଧାନ ଅତିଥିଭାବେ ଯୋଗଦେଇ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ଗୋଲକିପର ସାଗିନ ସୋରେନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଚନ୍ଦ୍ରକାନ୍ତ ବାରିକ, ଶ୍ରୀକାନ୍ତ ପଣ୍ଡା, ସରୋଜ ମହାରଣା, ଅମିତ ନାୟକ, ଦେବଜ୍ୟୋତି ସିଂ, ଦିଗ୍‌ବିଜୟ ଦାସ ଓ ଲକ୍ଷ୍ମୀ ପ୍ରସାଦ ମ୍ୟାଚ ପରିଚାଳନା କରିଥିଲେ।

Share